ଆଜି ପୁରୀରେ ଗୋଷାଣି ମେଳଣ, ଶ୍ରୀମନ୍ଦିର ସମ୍ମୁଖରେ ଗୋଷାଣିମାନଙ୍କର ହେବ ଦେବସଭା

ପୁରୀ: ଆଜି ପୁରୀରେ ଅନୁଷ୍ଠିତ ହେବ ଗୋଷାଣି ମେଳଣ । ପବିତ୍ର ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣିମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ଅନୁଷ୍ଠିତ ହେବ । ମହାଦୀପ ଉଠିବା ପରେ ହେବ ମେଲାଣି ଉତ୍ସବ । ଶ୍ରୀକ୍ଷେତ୍ରରେ ଦୁର୍ଗାପୂଜା ଶେଷରେ ଭସାଣ ଉତ୍ସବର ରହିଛି ସ୍ୱତନ୍ତ୍ରତା । ସବୁ ଦୁର୍ଗାମେଢ଼ ବା ଗୋଷାଣି ମେଢ଼ ଶ୍ରୀମନ୍ଦିର ସମ୍ମୁଖରେ ସମ୍ମିଳିତ ହୋଇ ଏକାଦଶୀ ମହାଦୀପ ଉଠିଲା ପରେ ବିସର୍ଜନ କରାଯାଇଥାଏ ।

ପରମ୍ପରା ଅନୁସାରେ ଗୋଷାଣି ବ୍ୟତୀତ ନାଗା ମେଢ଼ ଓ ଅନ୍ୟାନ୍ୟ ମେଢ଼ ମଧ୍ୟ ଦେଖିବାକୁ ମିଳିବ । କରୋନା କଟକଣା ପାଇଁ ଗତ ଦୁଇବର୍ଷ ବିନା ଭକ୍ତରେ ମେଳଣ ଅନୁଷ୍ଠିତ ହେଉଥିଲା । ଚଳିତବର୍ଷ ମେଳଣରେ ଶ୍ରଦ୍ଧାଳୁ ସାମିଲ ହେବେ । ଜନସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ସାହି କମିଟି ସହିତ ଆଲୋଚନା କରି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।