ବନ୍ଧୁକ ଦେଖାଇ ଲୁଟୁଥିଲେ, ଟାର୍ଗେଟରେ ଥିଲା ଗୋଲ୍ଡ ସପ୍
1 min read
ବାଲେଶ୍ୱରରେ ବନ୍ଧୁକ ବାଜ୍ । ଗନ୍ ପଏଣ୍ଟ୍ରେ ଲୁଟୁଥିଲେ ଗୋଲ୍ଡ । ଟାର୍ଗେଟରେ ଥିଲା ଗୋଲ୍ଡ ସପ୍ ଆଉ ନିଛାଟିଆରେ ଯାଉଥିବା ଲୋକ । ମଉକା ଦେଖି ଲୁଟ୍ କରି ଆଖିପିଛୁଳାକେ ଖସି ଯାଉଥିଲା ଲୁଟେରା । ଏନେଇ ସୋର ପୋଲିସକୁ ମିଳିଛି ବଡ ସଫଳତା । ୪ ଲୁଟେରାଙ୍କୁ ଗିରଫ କରିଛି ସୋର ପୋଲିସ । ଲୁଟେରା ମାନେ ୧୫ ଦିନ ହେବ ରାଜ୍ ଚଳାଇଥିଲେ ।
୧୨ ରୁ ଅଧିକ ଲୁଟ୍ କରି ବିଭିନ୍ନ ଜୁଏଲାରୀ ଦୋକାନ ଠାରୁ ଆରମ୍ଭ କରି ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଲୁଟି ନେଉଥିଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଯାହାକୁ ନେଇ ବାଲେଶ୍ୱର ଜିଲ୍ଲା ସୋରରେ ଆତଙ୍କ ସୃଷ୍ଟି ହୋଇଛି । ୪ଦିନ ତଳେ ମା ମଙ୍ଗଳା ଜୁଏଲାରୀ ଦୋକାନରୁ ହୋଇଥିବା ଲୁଟକୁ ଆଧାର କରି ଦୋକାନ ମାଲିକ ପୋଲିସ ପାଖରେ ଅଭିଯୋଗ କରିଥିଲେ । ତେବେ ଏନେଇ ପୋଲିସ ଲୁଟେରା ମାନଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ବନ୍ଧୁକ, ୮ଟି ମୋବାଇଲ୍ ଫୋନ, ୩ଟି ଏଟିଏମ୍ କାର୍ଡ, ୨ଟି ମୋଟର ସାଇକେଲ ଜବତ କରାଯାଇଛି ।
ଲୁଟେରା ମାନେ ହେଉଛନ୍ତି ସୋର ରଘୁନାଥପୁର ଗାଁର ବାସୁଦେବ ସାମଲ, ଖଇରା ଥାନା ପ୍ରହରାଜପୁର ଗାଁର ମାନସ କୁମାର ମଲ୍ଲିକ୍, ଖଇରା ଥାନା ରାମଚନ୍ଦ୍ରପୁର ଗାଁର ଆଶିଷ କୁମାର ମଲ୍ଲିକ ଏବଂ ଖଇରା ଥାନା ତୁଡ଼ିଗଡ଼ିଆ ଗାଁର ସୁଶାନ୍ତ ଦାଶ । ଏମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅନ୍ୟ ଲୁଟେରା ମାନଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରିଛି । ')}