ଜେନେରାଲ ଅସିମ ମୁନୀରଙ୍କ ହାତରେ ପାକିସ୍ତାନ ସେନା ଦାୟିତ୍ବ,

ଇସଲାମବାଦ: ପାକିସ୍ତାନ ସେନା ମୁଖ୍ୟଙ୍କୁ ନେଇ ବଡ଼ ଖବର । ପାକିସ୍ତାନର ନୂଆ ଆର୍ମି ଚିଫ୍ ହେବେ ଜେନେରାଲ ଅସିମ ମୁନୀର । ସେହିପରି ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ହେବେ ଲେପ୍ଟନାଣ୍ଟ ଜେନେରାଲ ସାହିର ସମସାଦ ମିର୍ଜା । ଦେଶର ସମ୍ବିଧାନ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ କହିଛନ୍ତି ।

ରାଷ୍ଟ୍ରପତି ଏହି ନିଯୁକ୍ତିକୁ ବିବାଦୀୟ କରିବେ ନାହିଁ ଏବଂ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ସମର୍ଥନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜୱା ନଭେମ୍ବର ୨୯ ରେ ଅବସର ନେବେ । ୨୦୧୯ରେ ବାଜଓ୍ବାଙ୍କ ଅବସରର ମାତ୍ର ତିନି ମାସ ପୂର୍ବରୁ ତାଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ାଇଥିଲେ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ।

ଏଥର ମଧ୍ୟ ବାଜଓ୍ବାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବା ଆଶଙ୍କା କରାଯାଉଥିଲା । ସେନାମୁଖ୍ୟ ବଜଓ୍ବାଙ୍କୁ ନେଇ ପାକିସ୍ତାନ ରାଜନୀତିରେ ହଟଚମଟ ଲାଗି ରହିଥିବା ବେଳେ ନୂଆ ସେନା ମୁଖ୍ୟ ନିଯୁକ୍ତି କରିବାକୁ ଦୀର୍ଘଦିନ ହେବ ଦାବି କରିଆସୁଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ।