ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରେସମିଟ୍; କରୋନା ଲଢେଇ ଜାରି ରହିଛି, ଚାଲିଛି ଡୋର୍-ଟୁ-ଡୋର୍ ସେବା

ଭୁବନେଶ୍ୱର:  କିଛି ଦିନ ହେବ ଗଞ୍ଜାମ ଓ ଖୋର୍ଦ୍ଧା କରୋନା ସ୍ଥିତିରେ ଅଦଳବଦଳ ହୋଇଛି । କ୍ରମାଗତ ଭାବେ ଗଞ୍ଜାମରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧା ତା’ ପଛକୁ ରହୁଥିଲା । ଗୋଟେ ଦୃଷ୍ଟିରୁ ଦେଖିଲେ ଖୋର୍ଦ୍ଧା ୨ୟ ସ୍ଥାନରେ ରହୁଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କମୁଥିଲା । ହେଲେ ଏବେ ସ୍ଥିତି ଓଲଟା ହୋଇଛି । ଗଞ୍ଜାମରେ  ସ୍ଥିତି ବଦଳିଛି ଓ ଖୋର୍ଦ୍ଧାରେ ସଂକ୍ରମଣର ମାତ୍ରା ବଢିଛି । ତେବେ ଏନେଇ ଉଭୟ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାପାଳ ଆଜି ପ୍ରେସମିଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜାମରେ ସ୍ଥିତି ସୁଧୁରିଛି ।

ରେଡ୍ ଜୋନ୍ ଏବେ ଗ୍ରୀନ୍ ଜୋନରେ ପରିବର୍ତ୍ତିତ ହୋଇଛି । ସଂକ୍ରମଣକୁ ଚିହ୍ନଟ କରିବା ପ୍ରଶାସନ ୨ଶହ ଟିମକୁ ସାରା ଜିଲ୍ଲାରେ ଅହରହ ବୁଲାଉଛି । ଜୁନ ମାସ ତୁଳନାରେ ଏବେ ୩ଗୁଣା ଅଧିକା ଟେଷ୍ଟିଂ ହେଉଛି । ଜିଲ୍ଲାରେ ଆରୋଗ୍ୟ ହାର ୭୮ ପ୍ରତିଶତକୁ ବଢ଼ିଛି । ସେହିଭଳି ପ୍ରତି ଶହେ ରକ୍ତ ନମୁନା ପରୀକ୍ଷା ହେଲେ ୨୦ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଗଞ୍ଜାମରେ କରୋନା ପରିସ୍ଥିତି କାବୁ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ଢ଼େର କସରତ କରିଥିବା କହିଛନ୍ତି  ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ  ।  ୧୩୨ଟି ଆମ୍ୱୁଲାନ୍ସ କରୋନା ଦାୟିତ୍ୱରେ ରହିଥିବା ବେଳେ ସବୁ ପରିସ୍ଥିତିରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମ୍ୱୁଲାନ୍ସକୁ କଡ଼ା ନିର୍ଦ୍ଦେଶ ମିଳିଛି । ସେହିଭଳି ସଂକ୍ରମଣ ନେଇ ଲକ୍ଷଣ ଥିଲେ ତୁରନ୍ତ ଜିଲ୍ଲା ପ୍ରଶାସନ ସହ ସମ୍ପର୍କ କରିବା ପାଇଁ ନିବେଦନ କରାଯାଇଛି । ଏପରିକି କ୍ୱାରେଣ୍ଟାଇନରେ ରହିବାକୁ ସୁବିଧା ନଥିଲେ ସରକାରଙ୍କୁ ଜଣାଇବାକୁ ଅପିଲ୍ କରିଛି ଜିଲ୍ଲା ପ୍ରଶାସନ ।

ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ପ୍ରେସମିଟ୍ କରି ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ସ୍ପଷ୍ଟ କରିଛନ୍ତି । ସଂକ୍ରମଣର ମାତ୍ରା ବଢୁଛି ଓ ଆଗକୁ ଆହୁରି ବଢିବାର ସମ୍ଭାବନା ରହିଥିବା ଜିଲ୍ଲା ପ୍ରଶାସନ କହିଛି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ୨୬ଟି ଜାଗାରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ ଆଗକୁ ଆହୁରି ବଢ଼ିପାରେ  । ତେବେ ଖୋର୍ଦ୍ଧା ଗ୍ରାମାଞ୍ଚଳର ୮୦ ଭାବ ଏବେ ମଧ୍ୟ କରୋନା ସଂକ୍ରମଣରୁ ମୁକ୍ତ ରହିଛି । ମାତ୍ର ୨୭୬ ଗ୍ରାମରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପ୍ରାୟ ୨୫୦ ଏଏନଏମ କର୍ମଚାରୀ କୋଭିଡ୍ ଦାୟିତ୍ୱରେ ଥିବା ବେଳେ ସାରା ଜିଲ୍ଲାରେ ୨୨ଟି ମୋବାଇଲ ଟିମ୍ ବୁଲୁଛି । ମୋବାଇଲ ଟିମ୍ ବିଶେଷ ଭାବେ ଗ୍ରାମାଞ୍ଚଳକୁ ଫୋକସ୍ କରୁଛି ।

Leave a Reply