ନାହିଁ ନାହିଁରେ ଚାଲିଛି ଦାରିଙ୍ଗବାଡି ବ୍ଲକ ଗଦାପୁର ଚିକିତ୍ସାଳୟ

ନନ୍ଦିଘୋଷ ବ୍ୟୁରୋ: ନାହିଁ ନାହିଁରେ ଚାଲିଛି ଗଦାପୁର ଚିକିତ୍ସାଳୟ । ଡାକ୍ତର ନଥିବାରୁ ଫାର୍ମାସିଷ୍ଟ ଓ ପିଅନଙ୍କ ଦ୍ଵାରା ଚାଲିଛି ରୋଗୀସେବା । ସଠିକ ସମୟରେ ଚିକିତ୍ସା ମିଳିପାରୁନଥିବାରୁ ଅନେକ ରୋଗୀ ମୃତ୍ଯୁ ମୁଖରେ ପଡୁଛନ୍ତି । ସମସ୍ୟା ନେଇ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ ।
ସ୍ଵାସ୍ଥ୍ଯ ବ୍ଯବସ୍ଥାର ବିକଳ ଚିତ୍ର । ମେଡିକାଲ ଅଛି ହେଲେ ଡାକ୍ତର ନଥିବାରୁ ବାଧାପ୍ରାପ୍ତ ହେଉଛି ରୋଗୀସେବା । ଫାର୍ମାସିଷ୍ଟ ଓ ପିଅନଙ୍କ ଦ୍ଵାରା ଚାଲିଛି ରୋଗୀ ସେବା । ଏ ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗଦାପୁର ଠାରେ ଥିବା ସ୍ଵାସ୍ଥ୍ଯ କେନ୍ଦ୍ରର ଦୃଶ୍ୟ । ଏହି ମେଡିକାଲ ଉପରେ ୪ ଗୋଟି ପଞ୍ଚାୟତର ୩୦ ହଜାର ଲୋକେ ନିର୍ଭର କରନ୍ତି । ହେଲେ ଏହି ସ୍ଵାସ୍ଥ୍ଯ କେନ୍ଦ୍ରରେ ଡାକ୍ତର ନଥିବାରୁ ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫାର୍ମାସିଷ୍ଟ ଦିନ ୧୦ ଟାରେ ମେଡିକାଲ ଖୋଲିଲେ ୧୨ ଘଟିକାରେ ମେଡିକାଲ ବନ୍ଦ କରି ଘରକୁ ପଳାଉଥିବା ଲୋକେ ଅଭିଯୋଗ କରିଛନ୍ତି । ଲୋକମାନେ ସାମାନ୍ଯ ଥଣ୍ଡା କାଶ ହେଲେ ବାଧ୍ଯ ହୋଇ ପିଅନ ମାନଙ୍କ ଦ୍ଵାରା ଚିକିତ୍ସିତ ହେଉଛନ୍ତି । କିନ୍ତୁ ଝାଡ଼ା ବାନ୍ତି, ଟାଇଫଏଡ ଏବଂ ବ୍ରେନ ମ୍ୟାଲେରିଆ ଭଳି ରୋଗ ହେଲେ ବାଧ୍ଯ ହୋଇ ୩୦ କିଲୋମିଟର ଦୂର ଦାରିଙ୍ଗବାଡି ମେଡ଼ିକାଲ ଓ ୧୨୨ କିଲୋମିଟର ଦୂର ବ୍ରହ୍ମପୁର ମେଡ଼ିକାଲକୁ ଯାଉଛନ୍ତି ।
ଗଦାପୁର ଠାରେ ମେଡିକାଲ ଅଛି ହେଲେ ଡାକ୍ତର ନାହାନ୍ତି । ଯଦି ଡାକ୍ତର ଥାନ୍ତେ ତାହା ହେଲେ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଯାଉ ଖାଇ ଛଟପଟ ହେଉଥିବା ଲୋକ ମାନେ ମଧ୍ୟ ବଞ୍ଚି ପାରିଥାନ୍ତେ । ପାଖରେ ମେଡିକାଲ ଥାଇ ମଧ୍ୟ ରୋଗୀ ଚିକିତ୍ସା ପାଇପାରିଲେ ନାହିଁ । ଯାହା ଫଳରେ ରୋଗୀ ମାନଙ୍କୁ ବ୍ରହ୍ମପୁର ମେଡିକାଲ ନେବା ଦ୍ୱାରା ଅଧା ରାସ୍ତାରେ କେତେ ଜଣଙ୍କର ଜୀବନ ଚାଲିଗଲା । ଏହି ସମସ୍ୟାକୁ ନେଇ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।