କଟକଣାକୁ ଉଲ୍ଲଂଘନ କଲେ, ପ୍ରତିବାଦ କରିବାରୁ ତହସିଲଦାରଙ୍କୁ ଦୁର୍ବ୍ୟବହାର କଲେ

ବାଲେଶ୍ୱର: କରୋନା କଟକଣାକୁ ଉଲ୍ଲଂଘନ କଲେ । ବାରଣ କରିବାରୁ ତହସିଲଦାରଙ୍କୁ ଦୁର୍ବ୍ୟବହାର କଲେ । ଏଭଳି ଘଟଣା ଘଟିଛି ବାଲେଶ୍ବରରେ । ଭୋଜି କରୁଥିବା ଲୋକଙ୍କୁ ବାରଣ କରିବାରୁ ବାଲେଶ୍ବର ସଦର ତହସିଲଦାରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ସହିତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଭୋଜି ପାଇଁ ପ୍ରସ୍ତୁତ କରାଯାଇଥିବା ଖାଦ୍ୟକୁ ଜବତ କରିଛନ୍ତି । ଏଥିସହିତ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ 3ଜଣଙ୍କୁ ଅଟକ ରଖାଯାଇଛି ।

ବାଲେଶ୍ବର ସଦର ଥାନା ଓଡ଼ଙ୍ଗି ପଞ୍ଚାୟତ ଇଚ୍ଛାପୁର ଗାଁର ରମେଶ ରାଉତଙ୍କ ସ୍ତ୍ରୀ ହୀରାମଣି ରାଉତଙ୍କର କୋଭିଡ୍‌ରେ ମୃତ୍ୟୁ ହେବାପରେ ଗତକାଲି ତାଙ୍କର ଏକାଦଶାହ କ୍ରିୟା ଥିଲା । ପରିବାର ଲୋକ ଭୋଜିର ଆୟୋଜନ କରିଥିଲେ । ହେଲେ କରୋନା କଟକଣାରେ ଶୁଦ୍ଧିକ୍ରିୟାରେ ମାତ୍ର 20 ଜଣଙ୍କୁ ଅନୁମତି ଥିବାବେଳେ, ଏହି ଭୋଜିରେ ଶହେରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ଭିଡ଼ ଅଧିକ ହୋଇଥିବା ସୂଚନା ପାଇ ସଦର ତହସିଲଦାର ଅନାମିକା ସିଂ ଘଟଣାସ୍ଥଳରେ ପହଞ୍ଚି ଭୋଜିକୁ ବାରଣ କରିଥିଲେ । ଖାଦ୍ୟ ସାମଗ୍ରି ଜବତ କରିବାରୁ ପରିବାର ଲୋକ ତାଙ୍କୁ ଠେଲାପେଲା କରିବା ସହିତ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ତହସିଲଦାରଙ୍କ ଅଭିଯୋଗ ଅନୁସାରେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

Leave a Reply