ଖାଦ୍ୟ ପଦାର୍ଥକୁ ଖବରକାଗଜରେ ରଖନ୍ତୁ ନାହିଁ

1 min read

ନନ୍ଦିଘୋଷ ବ୍ୟୁରୋ: ଖାଦ୍ୟ ପଦାର୍ଥକୁ ଖବରକାଗଜରେ ରଖନ୍ତୁ ନାହିଁ । ଏଥିରେ ଖାଦ୍ୟ ପଦାର୍ଥ ପରଷନ୍ତୁ ନାହିଁ କି ପ୍ୟାକିଂରେ ଏହାକୁ ବ୍ୟବହାର କରନ୍ତୁ ନାହିଁ । ଅବିଳମ୍ବେ ଏହି ନିର୍ଦ୍ଦେଶ ପାଳନ କରିବା ଲାଗି ଭାରତର ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ ବା FSSAI ପକ୍ଷରୁ ଖାଦ୍ୟ ପଦାର୍ଥ ତିଆରି କରିବା ସହ ବିକ୍ରି କରୁଥିବା ଭେଣ୍ଡରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଫଏସଏସଆଇ ପକ୍ଷରୁ କୁହାଯାଇଛି ଖବରକାଗଜରେ ବ୍ୟବହୃତ କାଳିରେ କେତେକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି ଯାହାକି ସ୍ବାସ୍ଥ୍ୟ ଲାଗି ବିପଜ୍ଜନକ ।

ଦେଶର ସମସ୍ତ ଉପଭୋକ୍ତା ଓ ଫୁଡ ଭେଣ୍ଡରଙ୍କ ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି FSSAIର ମୁଖ୍ୟ କାର୍ଯ୍ୟନିର୍ବାହି ଜି. କମଳ ବର୍ଦ୍ଧନ ରାଓ । ଖବରକାଗଜରେ ବ୍ୟବହୃତ ହେଉଥିବା କାଳିରେ ବିଭିନ୍ନ ବାୟୋଆକ୍ଟିଭ ସାମଗ୍ରୀ ରହିଛି ଯାହାକି ସ୍ବାସ୍ଥ୍ୟ ଲାଗି ଅତି ବିପଜ୍ଜନକ । ଏହା ସହ ଖବରକାଗଜରେ ଖାଦ୍ୟ ପଦାର୍ଥ ବାଣ୍ଟିବା ବେଳେ ନାନା ପ୍ରକାର ବ୍ୟାକ୍ଟେରିଆ, ଭାଇରସ ଓ ଅନ୍ୟାନ୍ୟ ଜୀବାଣୁ ସଂକ୍ରମିତ ହେବା ଆଶଙ୍କା ରହିଛି । ସେହିପରି ସମୋସା, ପକୋଡା ଆଦିରୁ ତେଲ ଶୋଷିବା ଲାଗି ଖବରକାଗଜ ବ୍ୟବହାର ନକରିବା ଲାଗି ପରାମର୍ଶ ଦିଆଯାଇଛି । ଖବରକାଗଜ ବ୍ୟବହାର ନ କରିବା ଦିଗରେ ରାଜ୍ୟ ଖାଦ୍ୟ କର୍ତ୍ତୃପକ୍ଷମାନଙ୍କ ସହ ଏଫଏସଏସଏଆଇ ଆଲୋଚନା କରୁଥିବା ସୂଚନା ମିଳିଛି ।