ଉଚ୍ଚଶିକ୍ଷିତ ଯୁବକରୁ ସଫଳ ଚାଷୀ, ଡାଇରୀ ଫାର୍ମା ଦେଇଛି ରୋଜଗାର

ଯାଜପୁର: ଉଚ୍ଚଶିକ୍ଷିତ ଯୁବକ ପାଲଟିଛନ୍ତି ସଫଳ ଚାଷୀ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବୁନ୍ଦାଦେଇପୁର ଗାଁର ପ୍ରୀତିଶ ଶତପଥି । ପ୍ରୀତିଶ କୃଷିରେ ଡିପ୍ଲୋମା ଏବଂ ବିଏସସି କରିଛନ୍ତି । କିନ୍ତୁ ପାଠପଢା ପରେ ଚାକିରୀ ପଛରେ ନଗୋଡାଇ ନିଜ ଘରେ ଆରମ୍ଭ କରିଥିଲେ ଡାଇରୀ ଫାର୍ମ । ପିଲାଟି ବେଳୁ ତାଙ୍କର ପଶୁ ମାନଙ୍କ ପ୍ରତି ଥିଲା ଅହେତୁକ ଦୁର୍ବଳତା । ସେ ଏବେ ଗାଇ ଫାର୍ମ,  କୁକୁଡା ଓ ଛେଳି ଫାର୍ମ କରି ବେଶ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ପ୍ରୀତିଶ ଡାଇରୀ ଫାର୍ମରେ ୧୮ଟି ପ୍ରଜାତିର ଗାଇ ରଖିଛନ୍ତି । ଯେମିତିକି ସିନ୍ଧି, ସାହିୱାଲ, ହଲିଷ୍ଟନ, ଜର୍ସି ଭଳି ଭଳିକି ଭଳି ଗାଇ। ସେହିପରି କୁକୁଡା ସାଙ୍ଗକୁ ବ୍ଲାକ ବେଙ୍ଗଲ, ବରବାରି ଭଳି ବିଭିନ୍ନ ପ୍ରକାର ଛେଳି ମଧ୍ଯ ରଖିଛନ୍ତି । ଏହି ସବୁ କାର୍ଯ୍ଯରେ ତିନି ଜଣ କର୍ମଚାରୀ ନିୟୋଜିତ ଥିବାବେଳେ ପରିବାର ଲୋକେ ତାଙ୍କୁ ସହଯୋଗ କରୁଛନ୍ତି । ଏହି ଚାଷ କରି ସେ ମାସିକ ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ଏଥିସହିତ ଅନ୍ଯ ଲୋକଙ୍କୁ ରୋଜଗାର ଦେଇପାରୁଛନ୍ତି । ପ୍ରିତିଶଙ୍କ ଏଭଳି ଉଦ୍ୟମ ଅନ୍ୟ ମାନଙ୍କ ପାଇଁ ଵେଶ ଉଦାହରଣ ସୃଷ୍ଟି କରିପାରିଛି ।