ରାଫେଲ ଦୁର୍ନୀତି ପ୍ରସଙ୍ଗ: ଫ୍ରାନ୍ସରେ ହେବ ତଦନ୍ତ

ନୂଆଦିଲ୍ଲୀ: ଲଢୁଆ ବିମାନ ରାଫେଲ ବିକ୍ରିରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ଫ୍ରାନ୍ସରେ ଜଣିକିଆ କମିଟି ଗଠନ ହୋଇଛି। ଫ୍ରାନ୍ସର ପବ୍ଲିକ ପ୍ରସ୍ୟୁକେସନ୍ ସର୍ଭିସେସର ଫାଇନାନ୍ସ କ୍ରାଇମ୍ ବ୍ରାଂଚ ପକ୍ଷରୁ ଏହି ଘୋଷଣା କରାଯାଇଛି। ମାମଲାର ତଦନ୍ତ ଜଣେ ବିଚାରପତି କରିବେ। ଫ୍ରାନ୍ସର ଏକ ସ୍ୱେଛାସେବୀ ସଂଗଠନ ସେରପା ପକ୍ଷରୁ ପ୍ରଥମେ ୨୦୧୮ରେ ରାଫେଲ ଚୁକ୍ତିରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ତେବେ ସେ ସମୟରେ ଫାଇନାନ୍ସ କ୍ରାଇମବ୍ରାଂଚ୍ କୌଣସି ତଦନ୍ତ କରିବାକୁ ମନା କରିଦେଇଥିଲା। ସୂଚନାଯୋଗ୍ୟ ଯେ, ୯.୩ ବିଲିୟନ ଡଲାରର ଚୁକ୍ତି ଅନୁଯାୟୀ ଭାରତକୁ ଫ୍ରାନ୍ସ ୩୬ଟି ରାଫେଲ ବିମାନ ଦେଇଛି। ଏହି ଚୁକ୍ତି ଭାରତ ସରକାର ଓ ଫ୍ରାନ୍ସର ଡସାଲଟ୍ କମ୍ପାନୀ ମଧ୍ୟରେ ହୋଇଥିଲା।

ଏହି ଚୁକ୍ତି ଦ୍ୱାରା ଅନିଲ ଅମ୍ବାନୀଙ୍କ କମ୍ପାନୀଙ୍କୁ ଅନୁଗ୍ରହିତ କରାଯାଇଛି ବୋଲି ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଛି। ତେବେ ଭାରତରେ ସୁପ୍ରିମକୋର୍ଟ ଅଭିଯୋଗରେ କୌଣସି ଦମ ନଥିବା ଅନୁଭବ କରି ମାମଲାକୁ ଖାରଜ କରିଦେଇଥିଲେ। ଫ୍ରାନସର ଏକ ୱେବସାଇଟ୍ ମିଡିଆପାର୍ଟ ନ୍ୟାସନାଲ ଫାଇନାନସିଆଲ ପ୍ରୋସିକ୍ୟଟର୍ସଙ୍କ ବିରୋଧରେ ମାମଲାକୁ ଚାପୁଥିବା ଅଭିଯୋଗ କରିଥିଲା। ଏହାପୂର୍ବରୁ ମିଡିଆପାର୍ଟ ଦାବି କରିଥିଲା ଯେ, ରାଫେଲ ଡିଲରେ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ କୋଟିକୋଟି ଟଙ୍କା ଦିଆଯାଇଛି।

କମିଶନ ଭାବେ କିଛି ଭାରତୀୟ ଅଧିକାରୀଙ୍କୁ କୋଟି କୋଟି ଟଙ୍କା ଦିଆଯାଇଛି ବୋଲି ମିଡିଆପାର୍ଟ ଅଭିଯୋଗ କରୁଛି। ଏଣେ ଭାରତରେ ମଧ୍ୟ ବିରୋଧୀ ଦଳ ରାଫେଲ ଚୁକ୍ତିକୁ ନେଇ କେନ୍ଦ୍ର ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣୁଛନ୍ତି।

Leave a Reply