ରାଜ୍ୟରେ ଖୋଲିଲା ଆଉ ୪ କୋଭିଡ-୧୯ ହସ୍ପିଟାଲ

1 min read

ଭୁବନେଶ୍ୱର: ସେମାବାର ରାଜ୍ୟରେ ଆଉ ୪ଟି କୋଭିଡ-୧୯ ହସ୍‌ପିଟାଲ ଖୋଲିଛି । କରୋନା ଭାଇରସ ମୁକାବିଲା ପାଇଁ ବାଲେଶ୍ୱର, ରାୟଗଡା, ଜୟପୁର ସମେତ ଢେଙ୍କାନାଳରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ ହସ୍ପିଟାଲ । ଆଜି ୪ଟି ହସ୍‌ପିଟାଲରେ ମୋଟ ୪୭୦ ବେଡ୍‌ ପ୍ରସ୍ତୁତ କରାଯାଇଥିବାବେଳେ ଶତାଧିକ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଆଜିର ୪ ହସ୍ପିଟାଲକୁ ମିଶାଇ ୧୬ ଟି ଜିଲ୍ଲାରେ ୧୭ ଟି ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହି ସବୁ ହସ୍ପିଟାଲ ସମୁଦାୟ ଶଯ୍ୟା ସଂଖ୍ୟା ୧୭୯୦ରେ ପହଞ୍ଚିଛି ।

ରାଜ୍ୟ ସରକାରଙ୍କ କରୋନା ମୁକାବିଲା ମାନଚିତ୍ରରେ ସାମିଲ ହୋଇଛନ୍ତି ରାୟଗଡ଼ା, ବାଲେଶ୍ୱର, ଢେଙ୍କାନାଳ ଓ ଜୟପୁର । ଖୋଲିଛି ୪ କୋଭିଡ-୧୯ ହସ୍‌ପିଟାଲ । କୋରାପୁଟ ଜୟପୁରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ୪ଟି ଆଇସିୟୁ ସମେତ ୩ଟି ଭେଣ୍ଟିଲେଟରର ବ୍ୟବସ୍ଥା ରହିଛି ଏହି ହସ୍ପିଟାଲରେ । ହସ୍ପିଟାଲରେ ୨୭ ଜଣ ଡାକ୍ତର ଓ ୫୨ ଜଣ ପାରା ମେଡିକାଲ ଷ୍ଟାଫଙ୍କୁ ନିଯ଼ୁକ୍ତି ମିଳିଛି । ସେହିପରି ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ ହେଲଥ ସେଣ୍ଟର । ରାୟଗଡା ଜେକେ ପୁର ଇଏସଆଇ ହସ୍ପିଟାଲ ପରିସରରେ ଏହା ଉଦଘାଟିତ ହୋଇଯାଇଛି । ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହେଲଥ ସେଣ୍ଟରରେ ସ୍ୱାବ୍‌ ପରୀକ୍ଷା କରାଯିବାର ବ୍ୟବସ୍ଥା ସହ  ପାଥୋଲୋଜି ଓ ମେଡିସିନ ଓ୍ୱାର୍ଡର ବ୍ୟବସ୍ଥା ରହିଛି । ୧୫ଜଣ ଡାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀବି ଏହି ହେଲଥ ସେଣ୍ଟରରେ ନିୟୋଜିତ ରହିବେ ।

ଉତ୍ତର ଓଡିଶାରେ ସବୁଠାରୁ ଅଧିକ ଫୋକସ ଥିବା ବାଲେଶ୍ୱର ଜିଲ୍ଲାରେ ବି କାର୍ଯ୍ୟକ୍ଷମ ହୋଇଛି କୋଭିଡ-୧୯ ହସ୍ପିଟାଲ । ଜ୍ୟୋତି ହସ୍ପିଟାଲକୁ କରୋନା ସଂକ୍ରମିତଙ୍କ ରୋଗୀଙ୍କ ପାଇଁ କାର୍ଯ୍ୟକ୍ଷମ କରାଯାଇଛି । ଓଏଚପିସି ଅନୁଦାନରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ ହସ୍ପିଟାଲରେ ୧୨୦ ଶଯ୍ୟା ସହ ୧୨ଟି ଆଇସିୟୁର ବ୍ୟବସ୍ଥା ରହିଛି । ସେପଟେ ଢେଙ୍କାନାଳ ଜିଲ୍ଲାରେ ଆଜି ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୬୦ଟି ବେଡ୍‌ ଓ ପରବର୍ତ୍ତୀ ସମୟରେ ଏହାକୁ ୧୦୦ ଶଯ୍ୟା ବିଶିଷ୍ଟ କରିବାକୁ ଟାର୍ଗେଟ ରଖିଛି ପ୍ରଶାସନ । ଢେଙ୍କାନାଳର ପୁରୁଣା ହସ୍ପିଟାଲକୁ କୋଭିଡ ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି ।

ଏହି ୪ଟି ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଛି । ଯେଉଁଥିରେ ଆଇସୋଲେସନ ବେଡ ସମେତ ଆଇସିୟୁର ବି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।

Leave a Reply