ପୁଣି ଋଷର ଜଣେ ପୂର୍ବତନ କମାଣ୍ଡର-ଇନ-ଚିଫଙ୍କ ସନ୍ଦେହଜନକ ମୃତ୍ୟୁ

1 min read

ମସ୍କୋ: ପୁଣି ଋଷର ଜଣେ ପୂର୍ବତନ କମାଣ୍ଡର-ଇନ-ଚିଫଙ୍କ ସନ୍ଦେହଜନକ ମୃତ୍ୟୁ । ଏକ ଟ୍ୟାଙ୍କ କାରଖାନାକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଗସ୍ତ ବାତିଲ କରିବା ପର ଦିନ ଜେନେରାଲ ଆଲେକ୍ସି ମାସଲୋଭଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା କୁହାଯାଇଛି । ୟୁକ୍ରେନ ସହ ଜେନେରାଲ ଆଲେକ୍ସିଙ୍କ ଘନିଷ୍ଠ ସମ୍ପର୍କ ଥିବା କୁହାଯାଇଛି ।

ଗତ ଡିସେମ୍ବର ୨୫ ତାରିଖରେ ଉରାଲଭାଗୋନଜାଭୋଦ ପ୍ଲାଣ୍ଟ ଦାୟିତ୍ବରେ ଥିବା ୬୯ ବର୍ଷ ବୟସ୍କ ଆଲେକ୍ସିଙ୍କ ମୃତ୍ୟୁ ଘଟିଥିଲା । ମସ୍କୋ ମିଲିଟାରୀ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି କୁହାଯାଇଛି । ଗତ ୨୦୦୪ରୁ ୨୦୦୮ ଯାଏ ଆଲେକ୍ସି ଥିଲେ ଋଷର କମାଣ୍ଡର-ଇନ-ଚିଫ । ସେ ବ୍ରସଲେସରେ ଋଷର ମୁଖ୍ୟ ସାମରିକ ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ । ମାସଲୋଭଙ୍କ ମୃତ୍ୟୁର କାରଣ ସନ୍ଧାନ ଲାଗି ଏକ ତଦନ୍ତକାରୀ ଟିମ୍ ଗଠିତ ହୋଇଛି ।

ଡିସେମ୍ବର ୨୫ରେ ଉରାଲଭାଗୋନଜାଭୋଦ ପ୍ଲାଣ୍ଟ ଗସ୍ତ କରିଥାନ୍ତେ ପୁଟିନ । ଯୁଦ୍ଧରେ ଆବଶ୍ୟକତା ଲାଗି ଅଧିକ ସଂଖ୍ୟକ ଆଧୁନିକ ଟ୍ୟାଙ୍କ ଉତ୍ପାଦନ ଲାଗି ଏହି କାରଖାନାକୁ ଦାୟିତ୍ବ ଦିଆଯାଇଥିଲେ ବି ଏହା ଉତ୍ପାଦନ କରିବାରେ ବିଫଳ ହୋଇଥିଲା ପ୍ଲାଣ୍ଟ । ଫଳରେ ଏହାକୁ ନେଇ ସମାଲୋଚନା କରାଯାଇଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ପୁଟିନ ଏହି ପ୍ଲାଣ୍ଟକୁ ଗସ୍ତ ବାତିଲ କରିଥିଲେ । ସେପଟେ ମାସଲୋଭଙ୍କ ମୃତ୍ୟୁର କିଛିଦିନ ପୂର୍ବରୁ ବି ପ୍ରାଣ ହରାଇଥିଲେ ଋଷର ଏକ ଜାହାଜ ତିଆରି କାରଖାନାର ମହାନିର୍ଦ୍ଦେଶକ ।

ଅଣଆଣବିକ ବୁଡାଜାହାଜ ନିର୍ମାଣ କରୁଥିବା କମ୍ପାନୀ ଆଡମିରାଲିଟି ସିପୟାର୍ଡର ମହାନିର୍ଦ୍ଦେଶକ ଆଲେକଜାଣ୍ଡାର ବୁଜାକୋଭଙ୍କ ମୃତ୍ୟୁକୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଥିଲା । ସେ ୨୦୧୨ରୁ କମ୍ପାନୀରେ ନିଯୁକ୍ତି ପାଇଥିଲେ । ସୁସ୍ଥ ଥିବା ଅବସ୍ଥାରେ ତାଙ୍କର କିପରି ମୃତ୍ୟୁ ଘଟିଲା ତାହାକୁ ନେଇ ସସପେନ୍ସ ଜାରି ରହିଛି ।