‘ପାକିସ୍ତାନ ଜାଣିଥିଲା, ଅଭିନନ୍ଦନଙ୍କୁ ନଛାଡ଼ିଲେ ପୁରା ବ୍ରିଗେଡ୍‌ ଧ୍ୱଂସ କରିଥାନ୍ତା ଭାରତ’: ପୂର୍ବତନ ବାୟୁସେନା ମୁଖ୍ୟ

1 min read
Abhinandan

ନୂଆଦିଲ୍ଲୀ: ୨୬ ଫେବୃଆରୀ ୨୦୧୯ । ଏବେ ବି ସେହି ଦିନ କଥା ସମସ୍ତଙ୍କୁ ମନେଥିବ ନିଶ୍ଚୟ । କାରଣ ଏହି ୨୬ ତାରିଖରେ ଭାରତର ବୀର ପୁତ୍ର ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ମୁକ୍ତ କରିଥିଲା । ଅଭିନନ୍ଦନଙ୍କ ମୁକ୍ତି ପାଇଁ ସାରା ଦେଶ ସତେ ଯେମିତି ଚାତକ ଭରି ଚାହିଁ ରହିଥିଲା । କାରଣ ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ପକ୍ଷରୁ ବନ୍ଦୀ କରାଗଲା ପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଉ ତୁରନ୍ତ ଅଭିନନ୍ଦନଙ୍କୁ ମୁକ୍ତ କରିବା ପାଇଁ ଚେତାବନୀ ଦିଆଯାଇଥିଲା । ସେହି ଭୟରେ ପାକିସ୍ତାନ ଅଭିନନ୍ଦନଙ୍କୁ ମୁକ୍ତ କରିଦେଇଥିଲା ।

ହେଲେ ଏହାରି ଭିତରେ ଗୋଟିଏ ଛୋଟିଆ କାହାଣି ରହିଛି । ଯାହାକି ସେତେବେଳର ବାୟୁସେନା ମୁଖ୍ୟ ବିଏସ୍‌ ଧନ୍‌ଓ୍ୱା ଏନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି, ‘ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନରେ ବନ୍ଦୀ ଥିବା ବେଳେ ପୁରା ପାକିସ୍ତାନ ଭୟରେ ଥରୁଥିଲା । ଏକଥା ଯେଉଁ ପାକିସ୍ତାନ ସାଂସଦ କହିଛନ୍ତି ତାହା ସତ । କାରଣ ସେ ଜାଣିଥିଲେ ଭାରତୀୟ ବାୟୁସେନାର ଆଭିମୁଖ୍ୟ କ’ଣ ଥିଲା ଭାରତୀୟ ବାୟୁସେନା ଯେଉଁଭଳି ଆଗ୍ରେସିଭ୍‌ ମୁଡ୍‌ରେ ଥିଲା ଏବଂ ଯେଉଁ ପୋଜିସନ୍‌ରେ ଥିଲା ତାକୁ ଦେଖି ପାକିସ୍ତାନ ଭୟଭୀତ ହେବା ସ୍ୱାଭାବିକ୍‌ । ପାକିସ୍ତାନର ପୁରା ବ୍ରିଗେଡ୍‌କୁ ଧ୍ୱଂସ କରିବା ପାଇଁ ଭାରତୀୟ ବାୟୁସେନା ସେତେବେଳେ ପ୍ରସ୍ତୁତ ଥିଲା । ଏହି କଥା ପାକିସ୍ତାନ ସେନା ମୁଖ୍ୟ ଜାଣିପାରିଥିଲେ । ତେଣୁ ସେ ଗଭୀର ଚିନ୍ତାରେ ପଡ଼ିଯାଇଥିଲେ’ । 

ଅନ୍ୟପଟେ ୧୯୯୯ରେ ପାକିସ୍ତାନ ଠିକ୍‌ ଏଭଳି ଏକ ମାମଲାରେ ଭାରତ ସହ ବିଶ୍ୱାସଘାତ କରିଥିଲା । ସେହି ଦୃଷ୍ଟିରୁ ଭାରତୀୟ ବାୟୁସେନା ମଧ୍ୟ ସମ୍ପୂର୍ଣ୍ଣ ସତର୍କ ଥିଲା । ଯଦି ଅଭିନନ୍ଦନଙ୍କୁ ମୁକ୍ତ କରିନଥାନ୍ତ ପାକିସ୍ତାନ ତେବେ ଆକ୍ରମଣ ସୁନିଶ୍ଚିତ ଥିଲା ବୋଲି କହିଛନ୍ତି ବିଏସ୍‌ ଧନଓ୍ୱା । ପାକିସ୍ତାନ ଭଲ ଭାବେ ଜାଣିଛି ଭାରତର ଶକ୍ତି କେତେ ଆଉ ସେ ପାକିସ୍ତାନର କ’ଣ କ୍ଷତି କରିପାରେ ! ତେଣୁ ଅଭିନନ୍ଦନଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ଖାଲି ସେତିକି ନୁହେଁ ବିଏସ୍‌ ଧନଓ୍ୱା ଆହୁରି କହିଛନ୍ତି ଯେ, ସେ ଅଭିନନ୍ଦନଙ୍କ ପିତାଙ୍କୁ ଜବାବ ଦେଇଥିଲେ ତାଙ୍କ ପୁଅକୁ ସେ ନିଶ୍ଚୟ ଫେରାଇ ଆଣିବେ ।

ସୂଚନାଯୋଗ୍ୟ, ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ଏହାର ପ୍ରତିଶୋଧ ନିଆଯାଇଥିଲା । ପାକିସ୍ତାନର ବାଲାକୋଟ୍‌ରେ ଭାରତ ଏୟାର ଷ୍ଟ୍ରାଇକ୍‌ କରିଥିଲା ଓ ଏଥିରେ ଅନେକ ଆତଙ୍କବାଦୀ ଅଡ୍ଡା ଧ୍ୱଂସ ହୋଇଥିଲା । ଏହାର ଠିକ୍‌ ପରଦିନ ପାକିସ୍ତାନ ପକ୍ଷରୁ ଭାରତ ଆଡ଼କୁ ଯୁଦ୍ଧ ବିମାନ ପଠାଯାଇଥିଲା । ଯାହାକୁ ମୁକାବିଲା କରିବାକୁ ଯାଇ ଭାରତୀୟ ବାୟୂସେନାର ଓ୍ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ସୀମାରେ ଖସି ପଡ଼ିଥିଲେ । ଏହି ସମୟରେ ପାକିସ୍ତାନ ସେନା ଅଭିନନ୍ଦନଙ୍କୁ ବନ୍ଦୀ କରିଥିଲା । ହେଲେ ଭାରତର ଚେତାବନୀ ପରେ ମାତ୍ର ୪୮ ଘଣ୍ଟା ଭିତରେ ଅଭିନନ୍ଦନଙ୍କୁ ସସମ୍ମାନେ ଭାରତକୁ ହସ୍ତାନ୍ତର କରିଥିଲା ।

Leave a Reply