ବିଦେଶୀ ଅତିଥିଙ୍କୁ କାହିଁକି ଦିଲ୍ଲୀ ପରିବର୍ତ୍ତେ ଗୁଜରାଟରେ ସ୍ୱାଗତ ?

1 min read

ନନ୍ଦିଘୋଷ ବ୍ୟୁରୋ: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଫ୍ଲାଇଟ ସିଧା ଅହମ୍ମଦାବାଦରେ ଲ୍ୟାଣ୍ଡ କରିଥିଲା । ଏୟାରପୋର୍ଟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ  । ଗୋଟେ ଦିନ ପୁରା ଗୁଜରାଟରେ ସମୟ କାଟିଥିଲେ ବୋରିସ ଜନସନ  । ଏହା ପୂର୍ବରୁ WHO ମୁଖ୍ୟ ଟେଡ୍ରୋସ ଅଦନୋମ ଗିବ୍ରିୟେସସ  ମଧ୍ୟ ଗାନ୍ଧୀନଗର ଗସ୍ତ କରିଥିଲେ  । ବୈଶ୍ୱିକ ଶିଖର ସମ୍ମିଳନୀ ବା InnoVation Summitରେ ଯୋଗଦେବାକୁ ଗୁଜରାଟ ଆସିଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ  । ଜନସନ ଯେପରି ପ୍ରଂଶସାରେ ପୋତିଥିଲେ ଠିକ ଟେଡ୍ରୋସ ଅଦନୋମ ମଧ୍ୟ ମୋଦିଙ୍କୁ ତାରିଫ କରିଥିଲେ  । ଏବଂ ମୋଦି ମଧ୍ୟ WHO ମୁଖ୍ୟଙ୍କୁ ତୁଳସୀ ଭାଇ ବୋଲି ସମ୍ବୋଦ୍ଧିତ କରିଥିଲେ  । କିନ୍ତୁ ଏଠି ଖବର ପ୍ରଶଂସାକୁ ନେଇ ଯେତିକି ଚର୍ଚ୍ଚା ନୁହେଁ, ମୋଦି ବିଦେଶୀ ଅତିଥିଙ୍କୁ ଦିଲ୍ଲୀ ପରିବର୍ତ୍ତେ ଗୁଜରାଟ ନିମନ୍ତ୍ରଣ ଉପରେ ସେତିକି  ।

୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଢିଥିଲା NDA  । ଏହା ପୂର୍ବରୁ ଅତିଥିଙ୍କ ପାଇଁ ଗୋଟିଏ ଠିକଣ ଥିଲା, ତାହା ହେଉଛି ରାଜଧାନୀ ଦିଲ୍ଲୀ  । ଭାରତ ଗସ୍ତ କରୁଥିବା ରାଷ୍ଟ୍ର ମୁଖ୍ୟ ବା ଶୀର୍ଷ ନେତା ସିଧା ସଳଖ ଦିଲ୍ଲୀରେ ପହଁଚୁଥିଲେ  । ଏମିତିକି ଯଦି କୌଣସି ଅତିଥି ଅନ୍ୟ ସ୍ଥାନକୁ ଯିବା ନେଇ ଆଗ୍ରହ ପ୍ରକାଶ କରୁଥିଲେ, ତେବେ ତାହା ନିର୍ଦ୍ଧାରଣ କରୁଥିଲେ ଭାରତ ସରକାର  । ଅର୍ଥାତ କହିବାକୁ ଗଲେ ବିଦେଶରୁ ଆସୁଥିବା ରାଷ୍ଟ୍ର ମୁଖ୍ୟ ରାଜଧାନୀ ଦିଲ୍ଲୀ ଗସ୍ତ କରୁଥିଲେ  । ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ସହ ଆଲୋଚନା କରି ଫେରି ଯାଉଥିଲେ  । କିନ୍ତୁ ମୋଦିଙ୍କ ଅମଳରେ ବଦଳିଛି ଏହି ଢାଞ୍ଚା  । ଦିଲ୍ଲୀ ବଦଳରେ ଗୁଜରାଟ ଗସ୍ତ କରୁଛନ୍ତି ଶୀର୍ଷ ନେତା  ।

ଗୁଜରାଟ ନିମନ୍ତ୍ରଣ ପଛର କାରଣ କଣ

ରାଜ୍ୟରେ  ଏକକାଳୀନ ୧୪ ବର୍ଷର ଶାସନ  । ମୁଖ୍ୟମନ୍ତ୍ରୀ ଭାବେ ଗୁଜରାଟରେ ଦୀର୍ଘ ସମୟର  ଦାୟିତ୍ୱ  । ମୋଦିଙ୍କ ଋଣନିତୀରେ ହୋଇଥିବା ବିକାଶ କାର୍ଯ୍ୟକୁ ଅତିଥିଙ୍କୁ ଦେଖାଇବା ଏହାର ଉଦ୍ଦେଶ୍ୟ ନୁହେଁ ତ ? କାରଣ ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଦେଶୀ କମ୍ପାନୀ ଗୁଡ଼ିକ ଗୁଜରାଟରେ ନିବେଶ କରିଥିଲେ  । ଆଉ ଏବେ ମୋଦିଙ୍କ ମଡେଲକୁ ଦେଖାଇ ପୁଣି ନିବେଶର ଆଗ୍ରହ ପ୍ରକାଶ କରିବା ମୋଦିଙ୍କ ପ୍ଲାନ ବୋଲି କୁହାଯାଉଛି  । ଦେଶର ଅନ୍ୟ ସହରକୁ ମଧ୍ୟ ବିଦେଶ ଅତିଥି ଗସ୍ତ କରୁଛନ୍ତି କିନ୍ତୁ ରିପୋର୍ଟ ମୁତାବକ ୨୦୧୮ ମସିହାରୁ ଏବେ ପର୍ଯ୍ୟନ୍ତ ପ୍ରାୟ ୧୮ଟି ରାଷ୍ଟ୍ରର ମୁଖ୍ୟ କେବଳ ଗୁଜରାଟ ଗସ୍ତ କରିସାରିଲେଣି  । ଏହି ତାଲିକାରେ ଚୀନ ରାଷ୍ଚ୍ରପତି ସି ଜିନପିଙ୍ଗ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ତତ୍କାଳୀନ ଜାପାନ ପ୍ରଧାନମନ୍ତ୍ରୀ ଶିଂଜୋ ଆବେ, ତତ୍କାଳୀନ ଇସ୍ରାଏଲ ପିଏମ ବେଂଜ୍ୟାମିନ୍ ନେତ୍ୟାନେହୁ  ଏବଂ ପ୍ରତ୍ତୁଗୀର୍ଲ ପ୍ରଧାନମନ୍ତ୍ରୀ ଏଣ୍ଟୋନିଆ କୋଷ୍ଟା ମଧ୍ୟ ଗସ୍ତ କରିଛନ୍ତି  । ଏତଦବ୍ୟତୀତ ଏବେ WHO ମୁଖ୍ୟ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ୍ ମଧ୍ୟ ଗୁଜରାଟ ଗସ୍ତ କରିସାରିଲେଣି  ।