ଆଜି ପୁଣି ବଢ଼ିବ ଜଳ ପ୍ରବାହ, ମୁଣ୍ଡଳୀରେ ପ୍ରବାହିତ ହେବ ୯ ଲକ୍ଷ ୫୦ ହଜାରରୁ ଅଧିକ କ୍ୟୁସେକ ଜଳ

କଟକ: ଆଜି ପୁଣି ବିଭିନ୍ନ ନଦୀରେ ବଢ଼ିବ ଜଳ ପ୍ରବାହ । ହୀରାକୁଦ ଗେଟ୍ ଖୋଲିବା ପରେ ଜଳ ପ୍ରବାହ ବଢ଼ିବ । ପ୍ରାୟ ୯ ଲକ୍ଷ ୫୦ ହଜାରରୁ ୧୦ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବ । ମୁଣ୍ଡଳୀରେ ୨ ଘଣ୍ଟା ପରେ କମିବ ଓ୍ୱାଟର ଫ୍ଲୋ । ତେବେ ଆଜି ସବୁ ଅଞ୍ଚଳରୁ ପାଣି କମିବା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଏସଆରସି । ରାଜ୍ୟରେ ଏପର୍ଯ୍ୟନ୍ତ ୬ଟି ଘାଇ ସୃଷ୍ଟି ହୋଇଥିବାବେଳେ ୧୯୭ଟି ସୃଷ୍ଟି ହୋଇଥିବା ଘଳିଆ ବନ୍ଦ କରାଯାଇଛି ।

ଅନ୍ୟପକ୍ଷରେ ଆଜି ହେବାକୁ ଥିବା ବର୍ଷାକୁ ନେଇ ସମସ୍ତ ଜିଲ୍ଳାପାଳଙ୍କୁ ସତର୍କ କରାଯାଇଛି । ସ୍ଥାନ୍ତାନ୍ତରଣ ପାଇଁ ଅଧିକ ଗୁରୁତ୍ଵ ଦେବାକୁ କୁହାଯାଇଥିବା ସୂଚନା ଦେଇଛନ୍ତି ଏସଆରସି । ସ୍ଥାନାନ୍ତରିତ ହେଉଥିବା ଲୋକଙ୍କୁ ଠିକ୍ ଭାବେ ଖାଦ୍ୟପେୟ ଦିଆଯାଉଛି । ପ୍ରତି ତହସିଲରେ ପଲିଥିନ୍ ଗଛିତ ଅଛି । ତେବେ ଚଳିତ ବନ୍ୟାରେ ପ୍ରାୟ ୪ ଲକ୍ଷ ୬୭ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ୨ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଜଳବନ୍ଦୀ ଅଛନ୍ତି । ସେହିପରି ୬୦ ହଜାରରୁ ଅଧିକ ଲୋକଙ୍କୁ ଏବେ ରନ୍ଧାଖାଦ୍ୟ ଦିଆଯାଉଛି । ତେବେ ପାଣି ଛାଡିବାର ୪୮ ଘଣ୍ଟା ପରେ ଘର ଏବଂ ଚାଷ ଜମି କ୍ଷୟକ୍ଷତି ଆକଳନ କରାଯିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।