ଉବୁଟୁବୁ ବାଲେଶ୍ବର: ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି, ଗାଁରେ ଚାଲୁଛି ଡଙ୍ଗା

ବାଲେଶ୍ବର: ଦୁଇ ଦିନ ହେଲା ବିପଦ ସଙ୍କେତ ଉପରେ ଚାଲିଛି ସୁବର୍ଣ୍ଣରେଖାର ବନ୍ୟା ପାଣି । ବାଲେଶ୍ବରର ସ୍ଥିତି ସଙ୍ଗୀନ । ଲଗାଣ ବର୍ଷା ପରେ କେଉଁଠି ଗାଁ ଦାଣ୍ଡରେ ଡଙ୍ଗା ଚାଲୁଛି ତ, ଆଉ କେଉଁଠି ଡଙ୍ଗାରେ ପରିବାରକୁ ନେଇ ଆଶ୍ରୟ ସ୍ଥଳକୁ ବାହାରି ଯାଉଛନ୍ତି ଲୋକେ । ବାଲିଆପାଳ ଓ ଭୋଗରାଇ ବ୍ଲକର ଶହ ଶହ ପରିବାର ହୋଇଛନ୍ତି ପ୍ରଭାବିତ ।

ଆଖିରେ ନ ଦେଖିଲେ ହେବନି ବିଶ୍ବାସ । ଚୁଲିରେ ପସିଛି ପାଣି । ଘର ଭିତରେ ଲହଡି ଭାଙ୍ଗୁଛି ବର୍ଷା ଜଳ । ଗାଁ ଦାଣ୍ଡରେ ବେକେ ପାଣି । ଘୋ ଘୋ ହୋଇ ଗାଁ ଭିତରକୁ ମାଡି ଚାଲିଛି ସୁବର୍ଣ୍ଣରେଖାର ବନ୍ୟା ଜଳ । ଏମିତି କିଛି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ରସଲପୁର ଗାଁରେ । ଚୁଲିରେ ପାଣି ପସି ଯାଇଥିବାରୁ ଟିଣ ଚୁଲା ତିଆରି କରି ଭାତ ରାନ୍ଧୁଛନ୍ତି ଲୋକେ । ଆଉ ଘର ଭିତରୁ ପାଣି ବାହାର କରୁଛନ୍ତି ଅନ୍ୟମାନେ । ବାଲିଆପାଳ ଓ ଭୋଗରାଇ ବ୍ଲକର ଶହ ଶହ ପରିବାର ସୁବର୍ଣ୍ଣରେଖା ବନ୍ୟାରେ ପ୍ରଭାବିତ ହୋଇ ଦୁଃଖ ଭୋଗୁଛନ୍ତି । ଚାଷ କିଆରିର ଚିହ୍ନ ମିଳୁନାହିଁ । ଧାନ, ପନିପରିବା ସବୁ ୩ ଦିନ ହେଲା ବନ୍ଯାଜଳରେ ବୁଡି ରହିଛି ।

ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରେ ଆଜି ବି ବନ୍ୟାପାଣି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଜଳକା ଓ ବୁଢାବଳଙ୍ଗ ନଦୀର ପାଣି ଖସୁ ଥିବାରୁ ବସ୍ତା ବ୍ଲକର ଲୋକେ ଆଶ୍ବସ୍ତ ହୋଇଛନ୍ତି । ହେଲେ ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁଁ ବାଲିଆପାଳ ଓ ଭୋଗରାଇ ବ୍ଲକର ୨୫ଟି ପଞ୍ଚାୟତର ୭୦ରୁ ଅଧିକ ଗାଁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି । ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ବନ୍ୟା ପିଡିତଙ୍କୁ ଭେଟି ଆଲୋଚନା କରିଛନ୍ତି । ଲୋକଙ୍କୁ ସୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି । ହେଲେ ସ୍ଥିତି ଯେମିତିକୁ ସେମିତି ରହିଛି ।