ହିନ୍ଦୁ ସେନା ଅଧ୍ୟକ୍ଷଙ୍କ ଗାଡ଼ି ଉପରକୁ ଗୁଳିମାଡ଼: ଆଜମେର ଦରଗାହ ବିବାଦକୁ ନେଇ ଦାୟର କରିଥିଲେ ଯାଚିକା
ଆଜମେରା: ରାଜସ୍ଥାନର ଆଜମେରରେ ଘଟିଛି ଏକ ବଡ଼ ଘଟଣା । ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ଉପରେ ଆଜି ସକାଳୁ ଫାୟାରିଂ କରାଯାଇଥିବାର ଖବର ସାମ୍ନାକୁ ଆସିଛି । ତେବେ ଗୁଳି ବିଷ୍ଣୁଙ୍କ ଶରୀରରେ ବାଜି ନଥିବାରୁ ତାଙ୍କର ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ବିଷ୍ଣୁ ଆଜମେରରୁ ଦିଲ୍ଲୀ ଯିବା ସମୟରେ ଏହି ଘଟଣା ଘଟିଥିଲା । ଗୋଗଲ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ବିଷ୍ଣୁଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରାଯାଇଥିବା କୁହାଯାଉଛି । ଏହି ସୂଚନା ପାଇବା ମାତ୍ରେ ଏସପିଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ସୂଚନା ମୁତାବକ, ବିଷ୍ଣୁଙ୍କ କାର ଉପର ଫାୟାର ଶଟ୍ ଦେଖିବାକୁ ମିଳିଛି । ପୋଲିସ ଟିମ ଗୁଳିର ଖୋକା ସନ୍ଧାନରେ ରହିବା ସହ ଘଟଣା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରୁଛି । ଆଜମେର ଦରଗାହରେ ଶିବ ମନ୍ଦିର ହେବାର ଦାବିକୁ ନେଇ ମାମଲା ସରଗରମ୍ ହୋଇ ଉଠିଥିବା ବିଷ୍ଣୁ କହିଛନ୍ତି । ଜାନୁଆରୀ ୨୪ରେ ଆଜମେରର ସିଭିଲ କୋର୍ଟରେ ଏହି ବିବାଦର ଶୁଣାଣି ହୋଇଥିଲା । ଏହି ମାମଲାରେ ବିଷ୍ଣୁ ଯାଚିକା ଦାୟର କରିଥିବା ବେଳେ ତାଙ୍କୁ କ୍ରମାଗତ ଧମକ ମିଳୁଥିଲା । ତେଣୁ ବିଷ୍ଣୁ ନିଜ ପରିବାରର ସୁରକ୍ଷା ମାଗିଥିଲେ । ମାମଲାର ଶୁଣାଣି ସମୟରେ କୋର୍ଟ ପରିସର ଭିତର ଓ ବାହାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଦରଗାହରେ ମନ୍ଦିର ହେବା ନେଇ ଗତବର୍ଷ ବିଷ୍ଣୁ ଆଜମେର ଜିଲ୍ଲା କୋର୍ଟରେ ଯାଚିକା ଦାୟର କରିଥିଲେ । ଗତବର୍ଷ ନଭେମ୍ବର ୨୭ରେ ତାଙ୍କର ଯାଚିକାକୁ କୋର୍ଟ ସ୍ବୀକାର କରିଥିଲେ ।