ଟଏ ଟ୍ରେନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ୪୫ ପର୍ଯ୍ୟଟକ

1 min read
Fire In Nandankanan Zoo Toy Train

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନର ଟଏ ଟ୍ରେନରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୪୫ ପର୍ଯ୍ୟଟକ । ଇଞ୍ଜିନର ଟେକ୍ନିକାଲ୍ ସମସ୍ୟା ଯୋଗୁଁ ଏଭଳି ଅଘଟଣ ଘଟିଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପ-ନିର୍ଦ୍ଦେଶକ ସଞ୍ଜିତ କୁମାର । ସମସ୍ୟା ଯୋଗୁଁ କାଲିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଟଏ ଟ୍ରେନ୍ । ଗତ ୮ ତାରିଖ ୬୭ତମ ବନ୍ୟପ୍ରାଣୀ ସପ୍ତାହ ଉତ୍ସବ ଅବସରରେ ଉଦଘାଟିତ ହୋଇଥିଲା ଟଏ ଟ୍ରେନ୍ । ନନ୍ଦନକାନନରେ ଟଏ ଟ୍ରେନଟି ଚାଲୁଥିବା ବେଳେ ଅଚାନକ ନିଆଁ ଲାଗି ଯାଇଥିଲା ।

ଟ୍ରେନରେ ଯାଉଥିବା ୪୫ ଯାତ୍ରୀ ନିଶ୍ଚିତ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଅଳ୍ପକେ । ଆଜି ଅପରାହ୍ମ ୪ଟା ୪୫ ମିନିଟ୍ ସମୟରେ ଟ୍ରେନଟି ୪୫ ଯାତ୍ରୀଙ୍କୁ ନେଇ ପରିକ୍ରମା କରୁଥିବା ବେଳେ ଇଞ୍ଜିନରୁ ଅଚାନକ ହୁତୁ ହୁତୁ ହୋଇ ଧୂଆଁ ବାହାରି ଥିଲା । ଜୀବନ ବଞ୍ଚାଇବାକୁ ଯାଇ ଟ୍ରେନ୍ ଡ୍ରାଇଭର ଟ୍ରେନକୁ ଅଟକାଇ ବାହାରକୁ ପଳାଇ ଆସିଥିଲେ । ଟ୍ରେନର ଦ୍ୱିତୀୟ ଡବାକୁ ନିଆଁ ଲାଗୁଥିବା ବେଳେ ସମସ୍ତ ଯାତ୍ରୀ ଜୀବନ ବିକଳରେ ବାହାରକୁ ଚାଲି ଆସିଥିଲେ ।

ଗତ ୮ ତାରିଖ ଶୁକ୍ରବାର ଦିନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ହେଲେ ଉଦଘାଟନ ଦିନ ଠାରୁ ଟ୍ରାଏଲରେ ଥିବା ଶିଶୁ ରେଳ ଗାଡ଼ି ଗତକାଲି ଗୁରୁବାର ଠାରୁ ଚାଲୁ ହୋଇଥିଲା । ହେଲେ ଗୋଟେ ଦିନ ନଯାଉଣୁ ଆଜି ଆଣି ଦେଇଛି ଏକ ବଡ଼ ଦୁର୍ଘଟଣା ।

Leave a Reply