ଦୁଇ ଦିନ ହେବ ଜଳୁଛି ଜଙ୍ଗଲ, ନିଆଁ ଲିଭାଇବାକୁ କୌଣସି ଚେଷ୍ଟା କରୁନାହିଁ ବନ ବିଭାଗ

ଅନୁଗୁଳ: ଦୁଇ ଦିନ ହେବ ଜଳୁଛି ଜଙ୍ଗଲ । ହୁତୁ ହୁତୁ ହୋଇ ଜଳିଯାଉଛି ମୂଲ୍ୟବାନ ଗଛପତ୍ର । ହେଲେ ବନ ବିଭାଗର ନାହି ନିଘା । ନିଆଁ ଆୟତ କରିବାକୁ କେହି ନାହିଁ । ଫଳରେ ନିଆଁ ଆହୁରି ଉଗ୍ର ରୂପ ନେବାରେ ଲାଗିଛି । ଏ ହେଉଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନଖଣ୍ଡ ଅଧିନ ପାତ୍ରପଡା ଠାରେ ଥିବା ଦେବୀ ନଗର ପାହାଡର ଦୃଶ୍ୟ । ଗତ ଦୁଇ ଦିନ ହେଲା ଏହି ପାହାଡରେ ଲାଗିଛି ନିଆଁ ।

ହେଲେ ବନ ବିଭାଗ ପକ୍ଷରୁ ଏହାକୁ ଲିଭାଇବାକୁ କୌଣସି ଚେଷ୍ଟା ନ କର ଯିବାରୁ ଧିରେ ଧିରେ ଏହି ନିଆଁ ବଢି ଚାଲିଛି । ଫଳରେ ବନ୍ୟ ଜୀବଜନ୍ତୁଙ୍କ ପାଇଁ ବିପଦ ଆଶଙ୍କା କରାଯାଉଛି । ଏହା ସହ ଏହି ନିଆଁର ପ୍ରଭାବରେ ଆଖପାଖ ଅଞ୍ଚଳରେ ତାପମାତ୍ରା ଅଧିକ ରହିବା ସହ ଧୂଆଁରେ ଅତିଷ୍ଠ ହେଉଛନ୍ତି ଲୋକେ । ବନ ବିଭାଗ ତୁରନ୍ତ ନିଆଁକୁ ଆୟତ୍ତ ନ କଲେ ଭୟଙ୍କର ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି ।