ଜୟନାରାୟଣଙ୍କ ବିରୋଧରେ ମହିଳା IIC ଦେଲେ FIR, ଲାଗିଲା ଏହି ଦଫା..

ସମ୍ବଲପୁର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସମ୍ବଲପୁର ଟାଉନ ଥାନାରେ ଏତଲା ଦେଇଛନ୍ତି ଆଇଆଇସି ଅନିତା ପ୍ରଧାନ । ଜୟନାରାୟଣଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା । ଆଇପିସିର ଧାରା ୩୫୩, ୩୫୪, ୩୩୨, ୨୯୪, ୫୦୦, ୩୪୧ ଓ ୫୦୬ଭଳି ଦଫା ଲାଗିଛି । ମହିଳାଙ୍କୁ ଅଶାଳୀନ ବ୍ୟବହାର ପାଇଁ ୩୫୪, ସରକାରୀ କର୍ମଚାରୀଙ୍କ କାମରେ ବାଧା ପହଞ୍ଚାଇବା ପାଇଁ ୩୫୩ । ଧମକ ଦେବା, ଅପରାଧିକ ଷଡ଼ଯନ୍ତ୍ର କରିବା ପାଇଁ ୫୦୬, କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ଶାରିରୀକ ଆଘାତ ପହଞ୍ଚାଇବା ପାଇଁ ୩୩୨, ଅଶାଳୀନ ଭାଷା ପ୍ରୟୋଗ ପାଇଁ ୫୦୦ ଓ ୨୯୪ ଓ ବେଆଇନ ଭାବେ ଅଟକ ରଖିବା ଅଭିଯୋଗରେ ଜୟନାରାୟଣଙ୍କ ବିରୋଧରେ ଲାଗିଛି ୩୪୧ ଦଫା ।

ଅନିତା ପ୍ରଧାନଙ୍କ ଏତଲା ଅନୁସାରେ ଅପରାହ୍ମ ୨ଟାରେ ବିଜେପିର ଆନ୍ଦୋଳନ ସରିବା ବେଳକୁ ବ୍ୟାରିକେଡ ପାଖରେ ଜୟନାରାୟଣ ପହଞ୍ଚି ବିନା କିଛି କାରଣରେ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ମୋ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଲେ । ମୁଁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିବା ପରେ ମଧ୍ୟ ସେ କିଛି ଶୁଣିବା ଅବସ୍ଥାରେ ନଥିଲେ ଏବଂ ଗାଳିଗୁଲଜ ସହ ତତେ ଦେଖିଦେବି, ଥାନା ପୋଡିଦେବି ଏବଂ ତତେ ସସପେଣ୍ଡ କରିଦେବି ବୋଲି ଧମକ ଦେଇଥିଲେ । ଏଭଳି ଗାଳିଦେବା ଅବସ୍ଥାରେ ହଠାତ ଆଶ୍ଚର୍ଯ୍ୟଜନକ ଭାବେ ଧକ୍କା ଦେବା ସହ ମିଡିଆ, ପବ୍ଲିକ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ଆଗରେ ଡାହାଣ ଗାଲରେ ଶକ୍ତ ଚାପୁଡା ମାରିଥିଲେ ।

*ଜଣେ ମହିଳା ପୋଲିସ ଅଧିକାରୀ ହିସାବରେ ଜୟନାରାୟଣଙ୍କ କାର୍ଯ୍ୟ ମୋତେ ଅପମାନିତ କରିଛି । ସର୍ବସାଧାରଣ ସ୍ଥାନରେ କର୍ତ୍ତବ୍ୟରତ ଥିବାବେଳେ କେବଳ ମୋ ଇଜ୍ଜତରେ ଆଞ୍ଚ ଆଣିଲେ ନାହିଁ ବରଂ ଡ୍ୟୁଟି କରିବାରେ ବାଧା ଦେଇଥିଲେ । ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଇଆଇସି ଅନୀତା ପ୍ରଧାନ ଟାଉନ ଥାନାରେ ଏତଲାରେ ଅନୁରୋଧ କରିଛନ୍ତି ।