ଭୂତାଣୁ ଭୟ : ପଡ଼ି ରହିଛି କରୋନା ଯୋଦ୍ଧାଙ୍କ ଶବ ପାଖକୁ ଆସୁ ନାହାଁନ୍ତି ସ୍ତ୍ରୀ ପିଲା

1 min read

ଗଞ୍ଜାମ:କରୋନା ଲୋକଙ୍କଠାରୁ ଲୋକଙ୍କୁ ଦୁରେଇ ଦେଉଛି । ସାମାଜିକ ସଂପର୍କକୁ ଛିନ୍ନଭିନ୍ନ କରିସାରିଲାଣି କରୋନା । କେଉଁଠି ଗାଁ ଲୋକ କରୋନା ସଂକ୍ରମିତଙ୍କ ମୃତଦେହକୁ ଶ୍ମଶାନରେ ସଂସ୍କାର ପାଇଁ ଅନୁମତି ଦେଉନାହାନ୍ତି ତ’ କେଉଁଠି ପରିବାର ଭୂତାଣୁ ଭୟରେ ନିଜ ଲୋକକୁ କରି ଦେଉଛି ପର । ସେହିଭଳି ଗୋଟିଏ ଦୁଃଖଦ ଖବର ଆସିଛି ଗଞ୍ଜାମ ଜିଲ୍ଲାରୁ ।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗରର ଘଟିଥିବା ଘଟଣା ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ । କରୋନା କେମିତି କେବଳ ଶରୀର ନୁହେଁ ପାରିବାରିକ ସଂପର୍କକୁ ମଧ୍ୟ ପ୍ରଭାବିତ କରୁଛି ତାହାର ତାଜା ଉଦାହରଣ ହେଉଛି ଜଣେ ପୋଲିସ କର୍ମଚାରୀଙ୍କ କଥା । ଏହି କର୍ମଚାରୀ ଜଣକ ଜୀବିତ ଥିବା ବେଳେ କରୋନା ଯୋଦ୍ଧା ସାଜି ସମାଜ ପାଇଁ କାମ କରୁଥିଲେ । ନିଜ ପରିବାର ପାଇଁ ଲଢୁଥିଲେ ଜୀବନ ସଂଗ୍ରାମ । କିନ୍ତୁ ଏବେ ମୃତ୍ୟୁ ପରେ ତାଙ୍କୁ ତାଙ୍କ ନିଜ ପରିବାର ହିଁ ପର କରିଦେଇଛି । କରୋନା ଭୂତାଣୁର ଭୟ ପତ୍ନୀ ଓ ପିଲାଙ୍କୁ ତାଙ୍କ ଶବ ଛୁଇଁବାକୁ ଡରାଇଛି । ଏବେ ତାଙ୍କ ଶବ ଅନ୍ତିମ ସଂସ୍କାର ଅପେକ୍ଷାରେ ଅଛି କିନ୍ତୁ ପରିବାର ଲୋକଙ୍କ ଦେଖା ନାହିଁ ।

ଅସୁସ୍ଥ ଥିବା ଏଏସଆଇ ରବୀନ୍ଦ୍ରନାଥ ବେହେରାଙ୍କ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ପୂର୍ବରୁ କୋଦଳା ଥାନାରେ କାର୍ଯ୍ୟ କରିଛନ୍ତି ଓ ବେଗୁନିଆପଡାରେ ରହି ଆସୁଥିଲେ । ତାଙ୍କର କାର୍ଯ୍ୟକାଳ ଭିତରେ  ଅଞ୍ଚଳରେ ଲୋକମାନଙ୍କ ସୁଖ ଦୁଃଖର ସାଥି ହୋଇ ସୁରକ୍ଷା ଦେଇ ଥିଲେ ସେ ।

କରୋନା ସନ୍ଦେହରେ ଶେଷ୍ୟକୃତ୍ୟ ପାଇଁ ମିଳିଲାନି କାନ୍ଧ

#ଶେଷ୍ୟକୃତ୍ୟ_ପାଇଁ_ମିଳିଲାନି_କାନ୍ଧ_ମେଡିକାଲରେ_ପଡିରହିଛି_ଶବ ଗଞ୍ଜାମ ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଏଏସଆଇ ରବୀନ୍ଦ୍ରନାଥ ବେହେରାଙ୍କ ମୃତ୍ୟୁ ପରେ କରୋନା ସନ୍ଦେହରେ ଶେଷକୃତ୍ୟ ହୋଇପାରିନି । ପରିବାର ଲୋକ ଶବକୁ ଛୁଇଁନଥିବା ବେଳେ ସଂପର୍କୀୟ ବି ଆସିଲେନି ।

Nandighosha TV यांनी वर पोस्ट केले शनिवार, २५ जुलै, २०२०

ଗତ ୪ ଦିନ ରବୀନ୍ଦ୍ରନାଥଙ୍କୁ କାଶ ଓ ଥଣ୍ଡାରେ ପୀଡିତ ଥିଲେ । ପରେ ସେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଯାଇଥିଲେ କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ସେ ସେଠାରେ ହିଁ ମୃତ୍ୟୁ ବରଣ କରିଛନ୍ତି । କିନ୍ତୁ କରୋନା ସନ୍ଦେହରେ ତାଙ୍କ ଶବକୁ କେହିକି ବି ଛୁଇଁନଥିବା ବେଳେ ଶବ ସଂସ୍କାର ମଧ୍ୟ କରାଯାଇ ପାରିନାହିଁ । ଏପରିକି ତାଙ୍କ ନିକଟରେ ଉପସ୍ଥିତ ଥିବା ତାଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ଶବକୁ ଛୁଉଁନାହାନ୍ତି । କୋଦଳା ମେଡିକାଲ ଠାରେ ତାଙ୍କ ଶବ ପଡିଥିବା ବେଳେ ଏଯାଏଁ ସେଠାରେ ଅନ୍ୟ କୌଣସି ପଦାଧିକାରୀ ମାନେ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ହୋଇନାହାନ୍ତି, ଏଣୁ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି  ।

ରବୀନ୍ଦ୍ର କରୋନା ପଜିଟିଭ୍ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ଭୂତାଣୁ ଭୟରେ,ସନ୍ଦେହରେ ପରିବାର ମଧ୍ୟ ତାଙ୍କୁ ପର କରିଦେଇଛି । ଏହାଠାରୁ ବଡ ଦୁଃଖଦ ଘଟଣା ହୁଏତ ଆଉ କିଛି ନଥାଇ ପାରେ ।

( ଗଞ୍ଜାମରୁ ଦେବହରି ବେହେରା )

Leave a Reply