ଅନଲାଇନ କ୍ଲାସ ପାଇଁ ବାପା ଫୋନ କିଣି ନଦେବାରୁ ଝିଅ କଲା ଆତ୍ମହତ୍ୟା

ନୂଆଦିଲ୍ଲୀ: କରୋନା ଭୂତାଣୁ ମହାମାରୀ ଯୋଗୁଁ ଗତ କିଛି ମାସ ହେବ ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେଣୁ ପାଠପଢାକୁ ଗୁରୁତ୍ୱ ଦେଇ ଅନଲାଇନ କ୍ଲାସ କରୁଛନ୍ତି ସମସ୍ତ ଶିକ୍ଷାନୁଷ୍ଠାନ । କିନ୍ତୁ ଏହି ଅନଲାଇନ କ୍ଲାସକୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଖୁବ ଆଶ୍ଚର୍ଯ୍ୟଜନକ ।

ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲ୍ଲାରେ ଅନଲାଇନ କ୍ଲାସ ପାଇଁ ସ୍ମାର୍ଟଫୋନ କିଣିବାକୁ ଅସମର୍ଥ ହୋଇଥିବାରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ବୁଧବାରକୁ ଏହି ସୂଚନା ଦେଇଛି ପୋଲିସ୍ । କ୍ରାନ୍ତି ପୋଲିସ ଥାନା ଅଧିକାରୀ ଦିଲ୍ଲୀପ ସରକାରଙ୍କ କହିବାନୁଯାୟୀ ମଲ୍ଲି କଲେଜରେ ବିଏ ପ୍ରଥମ ବର୍ଷର ଜଣେ ଛାତ୍ରୀ ଜୟନ୍ତି ବାଉଲୀ ସୋମବାର ରାତିରେ ସରିପୁକୁରୀ ଅଞ୍ଚଳର ଡାବରୀପାରା ଗାଁରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଛାତ୍ରୀଙ୍କ ବାପା ଅବିରାମ ବାଉଲୀ ପୋଲିସକୁ କହିଛନ୍ତି କି ସେ ଜଣେ ଦିନ ମଜୁରିଆ । ଖୁବ କଷ୍ଟରେ ସେ ତାଙ୍କ ଝିଅର ପଢା ପାଇଁ ଅର୍ଥ ଯୋଗାଡ଼ କରୁଥିଲେ । କିନ୍ତୁ ଅନଲାଇନ କ୍ଲାସ ପାଇଁ ଝିଅକୁ ମୋବାଇଲ ଫୋନର ଆବଶ୍ୟକତା ଥିଲା । କିନ୍ତୁ ସେ ଏହି ଫୋନ କିଣିପାରିନଥିବାରୁ ତାଙ୍କ ଝିଅ ଅବସାଦରେ ଥିଲେ । ବ୍ୟକ୍ତି ଜଣକ ବୟାନରେ ଏହା ମଧ୍ୟ କହିଛନ୍ତି କି ମୁଁ ଜାଣି ନଥିଲି ସେ ଫୋନ ପାଇଁ ଏଭଳି ପଦକ୍ଷେପ ନେବ । ନଚେତ୍ ମୁଁ ଧାରକୁ ଟଙ୍କା ଆଣି ତା ପାଇଁ ଫୋନ କିଣି ଦେଇଥାନ୍ତି ।

ଫୋନ ପାଇଁ ଝିଅର ଏଭଳି ଅଚାନକ ଦୁନିଆ ଛାଡ଼ି ଚାଲିଯିବାଟା ଜଣେ ଅସହାୟକ ବାପାକୁ ଖୁବ କଷ୍ଟ ଦେଇଛି ନିଶ୍ଚୟ ।

Leave a Reply