ଟୋକନ ରଦ୍ଦ ପରେ ଚାଷୀଙ୍କ ରାସ୍ତା ଅବରୋଧ, ଜାତୀୟ ରାଜପଥ ଉପରେ ଥୋଇଲେ ବସ୍ତା ବସ୍ତା ଧାନ

1 min read
Odisha Keonjhar

କେନ୍ଦୁଝର: ବଢ଼ିଲା ଚାଷୀଙ୍କ ଚିନ୍ତା । ଟୋକନ ରଦ୍ଦ ପରେ ରାସ୍ତାରେ ଚାଷୀ ଥୋଇଲେ କୁଇଣ୍ଟାଲ କୁଇଣ୍ଟାଲ ଧାନ । ଅଭିଯୋଗ ଯେ, ତାଙ୍କୁ ପ୍ରଥମେ ଧାନ ବିକ୍ରି କରିବା ପାଇଁ ଟୋକନ ଦିଆଯାଇଥିଲା ହେଲେ ପରେ ତାଙ୍କ ଟୋକନ ରଦ୍ଦ କରିଦିଆଯାଇଛି । ତେଣୁ ସେ ଏବେ ଧାନ ବିକ୍ରି କରିବା ପାଇଁ ଅସମର୍ଥ । ସ୍ଥାନୀୟ ସମବାୟ ସଂସ୍ଥା ତାଙ୍କୁଠାରୁ ଧାନ କିଣିବାକୁ ମନା କରିଦେଇଛି । ତେଣୁ ସେମାନେ ଉତ୍ପାଦନ କରିଥିବା ଧାନ କୋଉଠି ରଖିବେ ? ଚାଷୀଙ୍କ ପ୍ରତି ପ୍ରଶାସନର ଏଭଳି ଉଦାସୀନ ମନୋଭାବ ଯୋଗୁଁ, ଏହାର ପ୍ରତିବାଦରେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ ଜଗମୋହନପୁର ଠାରେ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଧାନବସ୍ତା ରଖି ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି ।

ଫଳରେଳ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଗାଡ଼ି ଅଟକି ରହିଛି । କୋଲକତା-ମୁମ୍ବାଇକୁ ଯାଉଥିବା ଗାଡ଼ି ଗୁଡ଼ିକ ମଧ୍ୟ ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ରହିଛି । କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ରଖି ଶତାଧିକ ଚାଷୀ ଏଠି ଆନ୍ଦୋଳନ କରୁଛନ୍ତି । ହେଲେ ଏବେ ସୁଦ୍ଧା ପ୍ରଶାସନ ତାଙ୍କ ଦାବି ପ୍ରତି କର୍ଣ୍ଣପାତ କରି ନାହିଁ ।

ତେବେ ଚାଷୀଙ୍କ ରାସ୍ତା ଅବରୋଧ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଚାଷୀଙ୍କ ଆନ୍ଦୋଳନ ଭାଙ୍ଗ କରିବାକୁ ଚେଷ୍ଟା କରିଛି । ହେଲେ ଚାଷୀଙ୍କ ଦୁଃଖ କେହି ଶୁଣିବାକୁ ନାରାଜ । ସାରା ବର୍ଷର ପରିଶ୍ରମ ଏବେ ରାସ୍ତା ଉପରେ ପଡ଼ି ରହିଛି ।

ସୂଚନା ଅନୁଯାୟୀ, ତେଲକୋଇ ବ୍ଳକର ୩ଟି ଧାନମଣ୍ଡି ଯଥା:- ତେଲକୋଇ, ଶିରିଗିଡ଼ା ଓ କାଳିଆହତା ଲ୍ୟାମ୍ପର ୬୪୧ ଜଣ ଚାଷୀଙ୍କ ଟୋକନ ରଦ୍ଧ ହୋଇଯାଇଛି । ଏବେ ବି ୧୦୪୩ ଜଣ ଚାଷୀଙ୍କ ଘରେ, ଖଳାରେ ଏବଂ ମଣ୍ଡିରେ ୩୦ ହଜାର କ୍ୱିଣ୍ଟାଲ ଧାନ ପଡି ରହିଛି । ସରକାର ଏହି ଧାନ କିଣିବାକୁ ଚାଷୀମାନେ ଦାବି କରି ସକାଳ ସାଢେ ୮ଟାରୁ କଲିକତା-ମୁମ୍ବାଇ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ଛକରେ ଅବରୋଧ କରିଛନ୍ତି ।

Leave a Reply