ଘାରିଛି ଥଇଥାନ ଚିନ୍ତା

1 min read

ସୁପ୍ରିମକୋର୍ଟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ରାଜନୈତିକ ଚାପ ମୁକ୍ତ କରିବା ପାଇଁ ଓ କ୍ରିକେଟ ପ୍ରଶାସନରେ ଅଧିକରୁ ଅଧିକ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ଦୀର୍ଘସ୍ଥାୟୀ ସମାଧାନର ବାଟ ବାହାର କରିଥିଲେ । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଆର.ଏମ୍‌. ଲୋଧାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ପୁର୍ନଗଠନ ସହିତ ସମ୍ବିଧାନ ସଂଶୋଧନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ଜଷ୍ଟିସ ଲୋଧା କ୍ରିକେଟକୁ ରାଜନୀତିକ ଲୋକଙ୍କ ଠାରୁ ମୁକ୍ତ କରିବା ପାଇଁ ଯୁକ୍ତି କରିଥିଲେ । ଏକଦା ଜାତୀୟ କ୍ରିକେଟ ବୋର୍ଡ ଓ ରାଜ୍ୟ ବୋର୍ଡ ଗୁଡ଼ିକରେ ରାଜନୈତିକ ଦଳମାନଙ୍କର ପ୍ରଭାବ ରହୁଥିବାରୁ ଏହାକୁ କ୍ରୀଡ଼ା ବିକାଶର ଏକ ସଂଗଠନ କରିବାକୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟ ଚାହିଁଥିଲେ । କୁହାଗଲା ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ସ୍ବର୍ଗତ ଅରୁଣ ଜେଟଲୀ, ଶରଦ ପାଓ୍ବାରଙ୍କ ଭଳି ନେତାମାନେ ଆଉ ଆସିବେନି । କିନ୍ତୁ ବାସ୍ତବରେ ସେଇଆ ହୋଇଛି କି ?

ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ହେବେ ଏକଥା ତ ସମସ୍ତଙ୍କୁ ଖୁସି ଦେଲା, କିନ୍ତୁ ଜୟ ଶାହ କିମ୍ବା ଅରୁଣ ଧୁମଲ ? ଧନୀ କ୍ରିକେଟ ବୋର୍ଡକୁ ପୁଣି ଫେରିଲା କି ରାଜନୈତିକ ପତିଆରା । ବାପ-ପୁଅ, ଭାଇ-ଭତିଜା, ପରିବାରବାଦ କବଳରୁ ମୁକୁଳିପାରିଲା କି ବିସିସିଆଇ ? ସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇ ରହିନାହିଁତ ? ସଂସ୍କାର କଣ କେବଳ ଲୋକ ଦେଖାଣିଆ ଥିଲା କି ?

ସେହିପରି ତାମିଲନାଡୁ କ୍ରିକେଟ ଆସୋସିଏସନ୍‌ର ସଭାପତି ଅଛନ୍ତି ରୂପା ଗୁରୁନାଥ । ତାଙ୍କ ବାପା ପ୍ରଭାବଶାଳୀ ବ୍ୟବସାୟୀ ଏନ୍‌. ଶ୍ରୀନିବାସନ ଏକଦା ବିସିସିଆଇର ସର୍ବେସର୍ବା ଓ ଆଇସିସିର ବସ୍‌ ଥିଲେ । ରୂପାଙ୍କ ସ୍ବାମୀ ଗୁରୁନାଥ ମୟାପ୍ପନ ଚେନ୍ନାଇ ସୁପର କିଙ୍ଗସର ପ୍ରମୋଟର ହିସାବରେ ୨୦୧୩ ଆପିଏଲ ସ୍ପଟ୍‌ ଫିକ୍ସିଂ ମାମଲାରେ ଧରାପଡ଼ିଥିଲେ ।

ହିମାଚଳ ପ୍ରଦେଶ କ୍ରିକେଟ ବୋର୍ଡର ସଭାପତି ଥିବା ଅରୁଣ ଧୂମାଲ ହେଉଛନ୍ତି ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ  । ପୂର୍ବରୁ ଅନୁରାଗ ବି ଏହି ପଦରେ ରହିଥିଲେ । ଅନୁରାଗ ଠାକୁର ଏବେ ସରକାରରେ ମନ୍ତ୍ରୀ ଓ ଅରୁଣଙ୍କ ବାପା ପ୍ରେମ କୁମାର ଧୂମଲ ବିଜେପିର ବରିଷ୍ଠ ନେତା  ।

ରାଜସ୍ଥାନ କ୍ରିକେଟ ବୋର୍ଡ ବି ଯାଇଛି ରାଜେନୀତିକ ପରିବାର ହାତକୁ  । ସଭାପତି ବୈଭବ ଗେହଲୋଟ ହେଉଛନ୍ତି ମୁଖ୍ୟମନ୍ତ୍ରୀ  ଅଶୋକ ଗେହେଲାଟଙ୍କ ପୁଅ  ।

ଗୁଜୁରାଟ ସଂଘର ସଭାପତି ଥିଲେ ଅମିତ ଶାହ ଏବଂ ତାଙ୍କ ପୁଅ ବିସିସିଆଇର ସଂପାଦକ ହେବାକୁ ଯାଉଛନ୍ତି । ପୂର୍ବରୁ ଶରଦ ପାଓ୍ବାର, ରାଜୀବ ଶୁକ୍ଳା ବି ଏଭଳି ଦୌଡ଼ରେ ସାମିଲ ଥିଲେ । ବ୍ୟବସାୟୀ ଜଗମୋହନ ଡାଲମିଆଙ୍କ ପୁଅ ଅଭିଶେକ ଡାଲମିଆ ଏବେ ବେଙ୍ଗଲ କ୍ରିକେଟ ସଂଘରେ ସଦସ୍ୟ ଅଛନ୍ତି। ସେହିଭଳି ବିଦର୍ଭ କ୍ରିକେଟ ଆସୋସିଏସନର ଉପ ସଭାପତି ଅଦୈତ ମନୋହର ହେଉଛନ୍ତି ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ ପୁଅ । ସେ ମଧ୍ୟ ଲମ୍ବା ରେସରେ ବିସିସିଆଇ ପଦବୀ ହାତେଇବା ଲକ୍ଷ୍ୟରେ ଅଛନ୍ତି । ଓଡ଼ିଶା କ୍ରିକେଟ ବୋର୍ଡର ସଂପାଦକ ବି ହୋଇଛନ୍ତି ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କ ପୁଅ  ।

ତେଣୁ ବାସ୍ତବରେ ବିସିସିଆଇରେ ସଂସ୍କାର ହୋଇପାରିବ କି ?  କେମିତି ଅଧିକରୁ ଅଧିକ ଗୁରୁତ୍ବ ପାଇବେ କ୍ରୀଡ଼ାବିତ୍ ସେ ନେଇ ସବୁ ନିୟମ ଲାଗୁ ହୋଇପାରିବ ତ ? ଜଷ୍ଟିସ ଲୋଧା ନୂଆ ଟିମକୁ ନେଇ ଖୁସି ହେବେ ତ ? ')}

Leave a Reply