ଆଖି ସମସ୍ୟା ହୋଇପାରେ ଓମିକ୍ରନ୍ ଲକ୍ଷଣ

1 min read

ନୂଆଦିଲ୍ଲୀ: କରୋନା ନୂଆ ଭାରିଆଣ୍ଟ ଓମିକ୍ରନ ଯେତିକି ମାଡୁଛି, ନୂଆ ନୂଆ ଲକ୍ଷଣ ପଦାକୁ ଆସିବାରେ ଲାଗିଛି । ଆଗରୁ ପେଟ ସମସ୍ୟା ଓମିକ୍ରନର ଲକ୍ଷଣ ହୋଇପାରେ ବୋଲି ଆମେ ରିପୋର୍ଟରେ ଜଣାଇଥିଲୁ । ଏବେ ଏକ ନୂଆ ଲକ୍ଷଣ ଓମିକ୍ରନକୁ ନେଇ ପଦାକୁ ଆସିଛି । ଏହା ଆଖି ସହ ଜଡିତ । ଓମିକ୍ରନ ସଂକ୍ରମିତ ହେଲେ କାଶଠାରୁ ଝାଡା ହେବା ପର୍ଯ୍ୟନ୍ତ ଲକ୍ଷଣ ଦେଖିବାକୁ ମିଳୁଥିଲା । ଏବେ କିଛି ଡାକ୍ତର କହୁଛନ୍ତି ଓମିକ୍ରନର ପ୍ରଥମ ଲକ୍ଷଣ ଆଖିରୁ ଆରମ୍ଭ ହୋଇପାରେ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଆଖି ସମସ୍ୟାକୁ ଅସମାନ୍ୟ ଓ କମ ଦେଖା ଯାଉଥିବା ଲକ୍ଷଣ ସୂଚୀରେ ରଖିଛି । ଏଥିରେ ଆଖି ସହ ଜଡିତ ଗୋଟିଏ କିମ୍ବା ଗୋଟିଏରୁ ଅଧିକ ଲକ୍ଷଣ ସାମିଲ ହୋଇପାରେ ।

ରିପୋର୍ଟ ଅନୁସାରେ ଆଖି ଗୋଲାପୀ ପଡ଼ିବା, ଧଳା ଭାଗ ଓ ପତା ତଳେ ଦାଗ ପଡ଼ିବା ଓମିକ୍ରନ ସଂକ୍ରମଣର ଲକ୍ଷଣ ହୋଇପାରେ । ଏହାବାଦ ଆଖି ଲାଲ ଦିଶିବା, ପୋଡ଼ାଜଳା ହେବା, ଦରଜ ହେବା ଓମିକ୍ରନ ଲକ୍ଷଣ ହୋଇପାରେ । ଆଖିକୁ ଜାଲ ଜାଲିଆ ଦିଶିବା, ଅଧିକ ଆଲୁଅରେ ସମସ୍ୟା ହେବା, ଆଖିରୁ ପାଣି ଗଡ଼ିବା ମଧ୍ୟ କରୋନା ଭୁତାଣୁ ଓମିକ୍ରନର ଲକ୍ଷଣ ହୋଇପାରେ ।

୨୦୨୦ରେ ହୋଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ କରୋନା ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୫ ପ୍ରତିଶତ ଆଖି ସମସ୍ୟାର ଶିକାର ହୋଇପାରନ୍ତି । ଏଥିରେ ଡରିବାର କିଛି ନାହିଁ । ସବୁ ଆଖି ସମସ୍ୟାର ମାନେ ନୁହେଁ ଆପଣ ଓମିକ୍ରନ ସଂକ୍ରମିତ । ଅନ୍ୟ କାରଣରୁ ମଧ୍ୟ ଆଖିରେ ସମସ୍ୟା ଦେଖାଦେଇପାରେ । ତେଣୁ କରୋନାର ଅନ୍ୟ ଲକ୍ଷଣ ଦେଖା ଯାଉଛି କି ନାହିଁ ତାହା ଉପରେ ମଧ୍ୟ ନଜର ରଖନ୍ତୁ ।

କ’ଣ କହୁଛି ସର୍ଭେ ?

ଭାରତୀୟ ସ୍ବାସ୍ଥ୍ୟ ବିଶେଷଜ୍ଞ କରୋନା ସହ ଆଖି ସମସ୍ୟା ସମ୍ପର୍କକୁ ସାମାନ୍ୟ ବିବେଚନା କରିଛନ୍ତି । ସେମାନଙ୍କ ମତରେ ଏହା ଓମିକ୍ରନ ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ଏହାକୁ ଗୁରୁତର ସହ ନେବାର ଆବଶ୍ୟକତା ରହିଛି ।

ତେବେ କିଛି ସର୍ଭେ ଆଖି ସହ ଜଡିତ ଲକ୍ଷଣକୁ ଅଧିକ ଗୁରୁତର ସହ ନେଇଛନ୍ତି । ଏକ ସର୍ଭେରେ ଦାବି କରାଯାଇଛି ଯେ ୩୫.୮ ପ୍ରତିଶତ ସୁସ୍ଥ ଲୋକଙ୍କ ତୁଳନାରେ ୪୪ ପ୍ରତିଶତ କରୋନା ରୋଗୀ ଆଖି ସମସ୍ୟାରେ ପଡିଥାନ୍ତି । ଏଥିରେ ଆଖିରୁ ପାଣି ଗଡ଼ିବା ଓ ଲାଇଟ୍ ସେନସିଭିଟି ଭଳି ଲକ୍ଷଣ ସାଧାରଣ ହୋଇଥାଏ ।

ବିଏମଜେ ଓପନ ପାଥଲୋମୋଲୋଜିରେ ପ୍ରକାଶିତ ରିପୋର୍ଟ ଅନୁସାରେ ୮୩ ପ୍ରତିଶତ କୋଭିଡ-୧୯ ରୋଗୀଙ୍କ ମଧ୍ୟରୁ ୧୭ ପ୍ରତିଶତଙ୍କଠାରେ ଆଖି ଜଳାପୋଡ଼ା ହେବା, ୧୬ ପ୍ରତିଶତଙ୍କଠାରେ ଆଖି ଦରଜ ସମସ୍ୟା ଦେଖା ଦେଇଥାଏ । ରୋଗୀ ସଂକ୍ରମଣ ମୁକ୍ତ ହେବା ସହ ଆଖି ସମସ୍ୟାରେ ମଧ୍ୟ ସୁଧାର ଆସିଥାଏ ।

ଆଖିରେ କେମିତି ପଶିଥାଏ ଓମିକ୍ରନ ?

ଗୋଲଡେନ ଆଇଜର ଜେନେରାଲ ପ୍ରୋଟେକ୍ସନ ନିଶା ଅସଲମଙ୍କ ଅନୁସାରେ, ‘କୋଭିଡି ଭାରିଆଣ୍ଟ ଯେଉଁ ସେଲ୍ ରିସେପ୍ଟର ଦେଇ ଶରୀର ମଧ୍ୟରେ ପ୍ରବେଶ କରିଥାଏ ଯାହା ଆଖିରେ ରହିଛି । ଭାଇରସ୍ ଏହି ରିସେପ୍ଟରକୁ ଲୁଚି ଶରୀର ମଧ୍ୟରେ ପ୍ରବେଶ କରିଥାଏ । ଆଖିର ଅଲଗା ଅଲଗା ସ୍ଥାନରେ ଏହି ରିସେପ୍ଟର ଦେଖିବାକୁ ମିଳିଥାଏ । ଯେମିତି କି ରେଟିନା କୋଶିକା, ଆଖିର ଧଳା ଅଂଶ ।’ କିଛି ସର୍ଭେରେ କୁହାଯାଇଛି କରୋନାର ଡେଲଟା ଓ ବିଟା ଭାଇରସ ତୁଳନାରେ ଓମିକ୍ରନ ଏହି ରିସେପ୍ଟର ସଂସ୍ପର୍ଶରେ ଆସିବାର ଅଧିକ କ୍ଷମତା ରଖେ । ଯଦି ଏମିତି ହୁଏ ତେବେ ଆଖି ସମସ୍ୟା ଓମିକ୍ରନ ଲକ୍ଷଣ ହୋଇପାରେ ।

କେମିତି କରିବେ ଆଖିର ଚିକିତ୍ସା ?

କରୋନା ସଂକ୍ରମିତ କିଛି ରୋଗୀଙ୍କ କ୍ଷେତ୍ରରେ ଆଖି ସମସ୍ୟା ଅଧିକ ଜଟିଳ ହୋଇନପାରେ । ହେଲେ କିଛି ଲୋକ ଏହାଦ୍ବାରା ବହୁତ ସମସ୍ୟାରେ ପଡିଥାନ୍ତି । ଏହି ସମସ୍ୟାର ଘରୋଇ ଚିକିତ୍ସା କରାଯାଇପାରିବ । ଏନଏଚଏସ ଅନୁସାରେ, ପାଣି ଗରମ କରି ତାକୁ ଥଣ୍ଡା କରିଦିଅନ୍ତୁ । ଏହାପରେ ସଫା ତୁଳାକୁ ଗୁଳା କରି ଉକ୍ତ ପାଣିରେ ବୁଡାଇ ସାବଧାନତାର ସହ ଆଖିକୁ ପୋଛନ୍ତୁ ।

ସମସ୍ୟାରୁ ମୁକ୍ତି ପାଇବାକୁ କିଛି ସମୟ ପାଇଁ ଆଖିରେ ଥଣ୍ଡା କପଡ଼ା ପକାଇ ପାରିବେ । ଯଦି ଯନ୍ତ୍ରଣା ଅଧିକ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯଦି ଆପଣ ଆଇସୋଲେସନରେ ଅଛନ୍ତି ତେବେ ଡାକ୍ତରଙ୍କୁ ଅନଲାଇନରେ ପରାମର୍ଶ ମାଗି ପାରିବେ । ଅଥବା ପରିବାରର ଅନ୍ୟ କାହାକୁ ଡାକ୍ତରଙ୍କ ପାଖକୁ ପଠାଇ ତାଙ୍କ ପାଖରୁ ପରାମର୍ଶ ଗ୍ରହଣ କରି ଆଖିର ଚିକିତ୍ସା କରିପାରିବେ ।

Leave a Reply