ପ୍ରତିଟି ମା’ ମଧ୍ୟରେ ରହିଛି ନେତୃତ୍ୱ ନେବାର ସାହସ ଓ ଦକ୍ଷତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମା’ମାନଙ୍କ ଉନ୍ନତି ପାଇଁ ବିଜେଡିର ଲଢ଼େଇ ଜାରି ରହିବ। ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ‘ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ର ବାର୍ତ୍ତା ଦେଇ ବିଜୁ ମହିଳା ଜନତା ଦଳ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଜେଡି ଅଫିସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ବିକାଶ ପାଇଁ ବିଜୁ ପଟ୍ଟନାୟକ ସବୁବେଳେ କାମ କରୁଥିଲେ। ଏହାକୁ ବିଜେଡି ସରକାର ଆଗକୁ ନେବାର କାର୍ଯ୍ୟ ଜାରି ରଖିଛି । ନବୀନ ପଟ୍ଟନାୟକ କହିଛନ୍ତି, ପ୍ରତିଟି ମା’ଙ୍କ ମଧ୍ୟରେ ନେତୃତ୍ୱ ନେବାର ସାହସ ଓ ଦକ୍ଷତା ରହିଛି।

ସଂସଦୀୟ ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେଇଥିଲା। ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ। ବିଜୁ ମହିଳା ଜନତା ଦଳର ମହିଳା ସମାବେଶରେ ଯୋଗଦେବା ପୂର୍ବରୁ ନବୀନ ଏକ ବାର୍ତ୍ତା ରାଜ୍ୟର କୋଭିଡ ସଂଗ୍ରାମରେ ସହଭାଗୀ ହୋଇ ନିଜ ପାଇଁ ସମାଜରେ ଏକ ମହତ୍ବପୂର୍ଣ୍ଣ ସ୍ଥାନ ସୃଷ୍ଟି କରିଥିବା ପ୍ରତ୍ୟେକ ମହିଳାଙ୍କୁ ଅଭିନନ୍ଦନ ଜଣାଇ ଥିଲେ।

ଆମ ରାଜ୍ୟ ଓଡ଼ିଶା ମହିଳାମାନଙ୍କ ପାଇଁ ପଞ୍ଚାୟତିରାଜ ଏବଂ ପୌରସଂସ୍ଥାରେ ୫୦ପ୍ରତିଶତ ଆସନ ସଂରକ୍ଷଣ କରିବାରେ ଅଗ୍ରଣୀ। ମହିଳାମାନଙ୍କ ପାଇଁ ପାର୍ଲାମେଣ୍ଟଠାରୁ ବିଧାନସଭା ପର୍ଯ୍ୟନ୍ତ ସବୁଠି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଦୃଢ଼ ଦାବି କରିଆସୁଛୁ। ଆମ ମିଶନ ଶକ୍ତି କାର୍ଯ୍ୟକ୍ରମ ନାରୀଶକ୍ତି ଏବଂ ସଶକ୍ତିକରଣର ପ୍ରତୀକ। ମିଶନ ଶକ୍ତିରେ ସଶକ୍ତ ୮୦ଲକ୍ଷ ମହିଳାଙ୍କ ବାହିନୀ ଆଜି ତୃଣମୂଳସ୍ତରରେ ପରିଦୃଶ୍ୟ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ।

୨୦୦୧ ମାର୍ଚ୍ଚ ୮ ତାରିଖରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି । ୮୦ ଲକ୍ଷ ମା ମାନଙ୍କ ପାଇଁ ଆଶାର ବୃକ୍ଷ ହୋଇଯାଇଛି । ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ । ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଙ୍ଗ ଜରିଆରେ ରାଜ୍ୟ ସ୍ତରୀୟ ବିଶ୍ଵ ମହିଳା ଦିବସ ପାଳନ ଅବସରରେ ଏହା କହିଛନ୍ତି । ମିଶନ ଶକ୍ତିର ଏ ସଫଳତା ଅଧିକରୁ ଅଧିକ ମା ମାନଙ୍କୁ ପ୍ରେରଣା ଦେବ ଏବଂ ମିଶନ ଶକ୍ତି ଖୁବ ଶୀଘ୍ର ଏକ କୋଟି ମହିଳାଙ୍କର ଏକ ବିରାଟ ଆନ୍ଦୋଳନ ରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ। ଓଡିଶାର ଘରେ ଘରେ ସଶକ୍ତ ଓଡିଶାର ବାର୍ତ୍ତା ଦେବ । ମିଶନ ଶକ୍ତି ସ୍ଵତନ୍ତ୍ର ବିଭାଗ ନିଷ୍ପତ୍ତି ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାକୁ ମା ମାନେ ଖୁବ ସ୍ଵାଗତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତି ଆଜି ବଡ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି । ଗାଁ ଅର୍ଥନୀତି କୁ ଚଳ ଚଞ୍ଚଳ କରିପାରିଛି । ମିଶନ ଶକ୍ତି କେବଳ ଦେଶରେ ନୁହେଁ ସାରା ବିଶ୍ବରେ ସବୁଠାରୁ ବଡ ଆନ୍ଦୋଳନରେ ପରିଣତ ହୋଇପାରିବ । କୋଭିଡର ଆହ୍ଵାନ ମୂଳକ ସମୟରେ ମା ମାନେ ହିଁ ସରକାରଙ୍କ ମୁଖ୍ୟ ସହଯୋଗୀ ହୋଇ କୋଭିଡ ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ମିଶନ ଶକ୍ତିର ମା ମାନଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡି, ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଆଦି ସବୁ ମା ମାନେ ସବୁଠାରୁ ବେଶୀ ଦାୟିତ୍ଵର ସହ କାମ କରିଛନ୍ତି । ପରିବାରକୁ ସଚେତନ ମଧ୍ୟ କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି .

ଯେ ରାଜ୍ୟ ସରକାର ସବୁବେଳେ ମିଶନ ଶକ୍ତିର ମା ମାନଙ୍କ ପାଇଁ ନିଷ୍ଠାର ସହ କାମ କରୁଛନ୍ତି । ସେମାନଙ୍କ ପାଇଁ ୫ ହଜାର କୋଟି ଟଙ୍କାର କାମ ଘୋଷଣା କରାଯାଇଛି ଏବଂ ସେମାନେ ଦକ୍ଷତାର ସହ କାମ କରି ସରକାରଙ୍କ ବିଶ୍ବାସକୁ ବୃଦ୍ଧି କରିଛନ୍ତି । ଯେଉଁ ଦେଶରେ ମା ମାନେ ଯେତେ ଆଗୁଆ ସେ ଦେଶ ସେତେ ଉନ୍ନତ । ମା ମାନଙ୍କ ସମୃଦ୍ଧି ଓ ଅଧିକାର ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ସଚିବାଳୟ ରେ ଉପସ୍ଥିତ ଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଲେ ଯେ ମହିଳା ମାନଙ୍କ ଅନ୍ତର୍ନିହିତ ଶକ୍ତି ଓ ଦକ୍ଷତା କୁ ଉପଯୋଗ କରି ବିକାଶକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଯୋଗୁଁ ଆଜି ଓଡିଶା ମହିଳା ବିକାଶ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିପାରିଛି । ମିଶନ ଶକ୍ତି ମା ମାନଙ୍କୁ ନୂଆ ପରିଚୟ ଦେଇଛି ବୋଲି ପ୍ରକାଶ କରି ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

Leave a Reply