ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ବାସଭବନ ଉପରେ ଚଢ଼ାଉ

1 min read

ଭୁବନେଶ୍ୱର: ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ଠକେଇ ଅଭିଯୋଗ । ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଓ୍ୱଲା ଏ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ବା EOWରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି EOW ଗତ ୨୩ ତାରିଖରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ମୁତାବକ, ବଡ଼ଗଡ଼ ଟଙ୍କପାଣିରେ ଏକ ଓଡ଼ିଆ ଟିଭି ଚାନେଲ୍ ପ୍ରତିଷ୍ଠା କରିବା ପାଇଁ ୨୦୨୦ ମସିହାରେ ତାଙ୍କ ସହ ଅର୍ଦ୍ଧେନ୍ଦୁ ଯୋଗାଯୋଗ କରିଥିଲେ । ବୈଦ୍ୟୁତିକ ଯନ୍ତ୍ରାଂଶ ଯୋଗାଇଦେବା ପାଇଁ କୋଟିଏ ୪୭ ହଜାର ୭୦ ଟଙ୍କାର ଚୁକ୍ତି ହୋଇଥିଲା । ଏଥିପାଇଁ ଅଗ୍ରୀମ ବାବଦକୁ ଅର୍ଦ୍ଧେନ୍ଦୁ ତାଙ୍କୁ ୧୦ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ୨୦୨୦ ଅକ୍ଟୋବର ୨୧ ପରଠାରୁ ଗଗନଦୀପଙ୍କ ସଂସ୍ଥା ଭିଏଲ୍ କାର୍ଗୋ ଜରିଆରେ ନିର୍ଦ୍ଧାରିତ ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ପଠାଇଥିଲେ । ୬ ମାସ ମଧ୍ୟରେ ବାକି ଥିବା ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କା ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଯନ୍ତ୍ରାଂଶ ଲଗାଯିବା ପରେ ଅର୍ଦ୍ଧେନ୍ଦୁ ଆଉ ଟଙ୍କା ଦେଇନଥିଲେ । ୨୦ ମାସ ବିତିବା ପରେ ଗଗନଦୀପ ବାଧ୍ୟ ହୋଇ EOWର ଦ୍ୱାରସ୍ଥ ହୋଇଥିଲେ । ଏହା ପୂର୍ବରୁ ହାଜର ହେବାକୁ ୨ ଥର ନୋଟିସ କରିଥିଲା EOW । ହେଲେ ସେ ହାଜର ହୋଇନଥିଲେ । ଆଜି ଭୋରୁ ତାଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲା EOW । ଚଢ଼ାଉ ବେଳେ ସେ ଘରେ ନଥିଲେ । ସେ ଫେରାର ଥିବା EOW ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଇମୋହନଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସନ୍ଦେହ; ପୂର୍ବରୁ ବେକରେ ରହିଛି ଆଘାତ