ଘୋଡ଼ାରେ ବସି ବିଦ୍ୟୁତ୍‌ ବିଲ୍‌ ମାଗୁଛନ୍ତି ବିଦ୍ୟୁତ୍‌ ବିଭାଗ କର୍ମଚାରୀ

ନୂଆଦିଲ୍ଲୀ:  ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ଲୋକ ଗାଡ଼ି ଚଲାଇବାକୁ ଡରିଲେଣି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବିହାରର ଶିବହର ଜିଲ୍ଲାରେ । ଏଠାରେ ବିଦ୍ୟୁତ୍‌ ବିଭାଗର ଜଣେ କର୍ମଚାରୀ ଘୋଡ଼ାରେ ବସି ବିଦ୍ୟୁତ୍‌ ବିଲ୍‌ ମାଗିବାକୁ ଯାଉଛନ୍ତି । ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଅଭିଜିତ ତିଓ୍ୱାରୀଙ୍କ କହିବା ହେଉଛି ପେଟ୍ରୋଲର ଦରବୃଦ୍ଧି ମୁଣ୍ଡରେ ଚଡ଼କ ପକାଇଲାଣି । ଗାଡ଼ି ନେଇ ଯିବା କଷ୍ଟ ହୋଇପଡ଼ୁଛି । ପକେଟକୁ ଖୁବ୍‌ ବାଧୁଛି ତେଲ ଦର । ଯାହାର ବିକଳ୍ପ ଦେଖିବାକୁ ବାଧ୍ୟ ହୋଇଛି । ଅଭିଜିତଙ୍କ କହିବା ହେଉଛି ଘୋଡ଼ାରେ ଯିବା ପାଇଁ ଯେତିକି ଟଙ୍କା ଦେବାକୁ ପଡ଼େ ତା ଠାରୁ ଦୁଇ ଗୁଣା ଟଙ୍କା ପେଟ୍ରୋଲ ପାଇଁ ଖର୍ଚ୍ଚ କରିବାକୁ ପଡ଼ୁଛି ।

ଅଭିଜିତଙ୍କ ଏହି ପଦକ୍ଷେପ ସାରା ଜିଲ୍ଲାର ଧ୍ୟାନ ଆକର୍ଷଣ କରିଛି ।  ଲୋକ ଏହାକୁ ବୁଦ୍ଧିର ପାର୍ଶ୍ୱ ପ୍ରତିକ୍ରିୟା ବୋଲି କହୁଛନ୍ତି           ।  କିନ୍ତୁ ଅଭଜିତଙ୍କ କହିବା ହେଉଛି ଏହା ପାର୍ଶ୍ୱ ପ୍ରତିକ୍ରିୟା ନୁହେଁ ବରଂ ବୁଦ୍ଧିମାନର କାମ ।

ଅନ୍ୟପଟେ ମହାରାଷ୍ଟ୍ରର ଔରଙ୍ଗାବାଦରେ ମଧ୍ୟ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ଏଠାରେ ଶେଖ୍‌ ୟୁସୁଫ ନାମକ ଜଣେ ବ୍ୟକ୍ତି ପେଟ୍ରୋଲ ଦରକୁ ନଜରରେ ରଖି ଏବେ ଗାଡ଼ି ନୁହେଁ ବରଂ ପ୍ରତିଦିନ ୧୫ ମିଲୋମିଟର ଘୋଡ଼ାରେ ନିଜ କର୍ମସ୍ଥଳକୁ ଯାଉଛନ୍ତି । ତେବେ ଏହା ତାଙ୍କ ପକ୍ଷେ ନୂଆ ନୁହେଁ । ଲକଡାଉନ ସମୟରେ ଗାଡ଼ି ଖରାପ ହୋଇ ଯାଇଥିବାରୁ ତାଙ୍କ ନିକଟରେ ବିକଳ୍ପ ଖୋଜିବା ବ୍ୟତୀତ କିଛି ଉପାୟ ନଥିଲା । କାରଣ ଗ୍ୟାରେଜ ବନ୍ଦ ଥିଲା । ଏଥିପାଇଁ ସେହି ଦିନଠାରୁ ସେ ଘୋଡ଼ାରେ ଯିବା ଆସିବା କରୁଛନ୍ତି । କିନ୍ତୁ ସେ ଘୋଡ଼ାରେ ଭଡ଼ାରେ ନୁହେଁ ବରଂ ନିଜେ ଏକ ଘୋଡ଼ା କିଣିଥିବା କହିଛନ୍ତି ।