ଉପନିର୍ବାଚନ ଗାଇଡଲାଇନ: ନିର୍ବାଚନ ଆଚରଣ ବିଧି ଲାଗୁ କଲେ ନିର୍ବାଚନ କମିଶନ

1 min read

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଚରଣ ବିଧି । ଏନେଇ ଗାଇଡଲାଇନ ଜାରି କଲେ ନିର୍ବାଚନ କମିଶନ । ଏହାସହ ନାଗରିକଙ୍କ ପାଇଁ ମୁଖ୍ୟ ନିର୍ବାଚନ କମିଶନ ଏକ ଅନଲାଇନ ଆପ୍ଲିକେଶନ ଲଞ୍ଚ କରିଛନ୍ତି । ଏଥିରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ସାଧାରଣ ଜନତା ଅଭିଯୋଗ କରିପାରିବେ । ଏହାର ନାଁ ‘cVIGIL’ ରଖାଯାଇଛି । ଏହାଦ୍ବାରା ସାଧାରଣ ଜନତା ସ୍ବତନ୍ତ୍ର ହୋଇ ନିରପେକ୍ଷ ନିର୍ବାଚନ ପରିଚାଳନାରେ ସହଯୋଗ କରିପାରିବେ । ଆଖି ଆଗରେ ଦେଖୁଥିବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ଲାଇଭ ରିପୋର୍ଟ କରିବା ପାଇଁ ଏଥିରେ ଅନୁମତି ଦିଆଯାଇଛି । ଏଥିପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ୧୦୦ ମିନିଟର ସମୟ ସୀମା ଧାର୍ଯ୍ୟ କରାଯାଇଛି । ଏହି ୧୦୦ ମିନିଟ ମଧ୍ୟରେ ଅଭିଯୋଗର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା କରାଯାଇଛି ।

ସମସ୍ତ ଦଳ ଓ ପ୍ରାର୍ଥୀଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେବା ଭଳି ଆଚରଣରୁ ବିରତ ରହିବାକୁ କୁହାଯାଇଛି । ଯେମିତି କି ଭୋଟରଙ୍କୁ ଟଙ୍କା ଦେବା, ଭୋଟରଙ୍କୁ ଡରାଇବା, ଭୋଟ ଗ୍ରହଣ କେନ୍ଦ୍ରଠାରୁ ୧୦୦ ମିଟର ଭିତରେ ସଭା ଓ ପ୍ରଚାର କରିବା, ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସାଧାରଣ ସଭା କରିବା ଓ ଭୋଟରଙ୍କୁ ଭୋଟ ଗ୍ରହଣ କେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ଗାଡ଼ି ବ୍ୟବସ୍ଥା କରିବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବୋଲି କୁହାଯାଇଛି ।

ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି, ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଲାଞ୍ଚ ଦେବା ଓ ଭୋଟରଙ୍କୁ ପ୍ରଭାବିତ କରିବା ମୁକ୍ତ ନିର୍ବାଚନର ପରିପନ୍ଥି ନୁହେଁ । ଦେଖିବାକୁ ମିଳୁଛି କିଛି ସ୍ଥାନରେ ପ୍ରାର୍ଥୀ ଓ ଦଳ ପକ୍ଷରୁ ଲାଞ୍ଚ ଦିଆଯିବା ସହ ଭୋଟରଙ୍କୁ ପ୍ରଭାବିତ କରାଯାଉଛି । ଉପନିର୍ବାଚନରେ ସାମିଲ ଦଳ ଓ ପ୍ରାର୍ଥୀ ଆଚରଣ ବିଧି ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିର୍ବାଚନ କମିଶନ ପକ୍ଷରୁ ଚେତାବନୀ ଦିଆଯାଇଛି ।