ଭାରତରେ ତିଆରି ହେଉଛି ବିଶ୍ୱର ସର୍ବ ବୃହତ୍ ତାଲା

ଅଲିଗଡ଼: ଉତ୍ତରପ୍ରଦେଶର ଅଲିଗଡକୁ ଲକ୍ ସିଟି ବା ତାଲା ନଗରୀ ମଧ୍ୟ କୁହାଯାଏ । ଏଠାରେ ତାଲା କାମକୁ କୁଟୀର ଶିଳ୍ପ ଭାବରେ ମଧ୍ୟ କରାଯାଏ। ଅଲିଗଡ଼ର ଏହି ତାଲା ବ୍ୟବସାୟ ବହୁତ ପୁରୁଣା । ଏଠାରେ ଜେଲରେ ବ୍ୟବହୃତ ହାତକଡ଼ିରୁ ଆରମ୍ଭ କରି ବିଭିନ୍ନ ଆତ୍ୟାଧୁନିକ ତାଲା ସବୁ ତିଆରି କରାଯାଇଥାଏ। ତେବେ ବର୍ତ୍ତମାନ ଅଲିଗଡ଼ରେ ରହୁଥିବା ଜଣେ ବୃଦ୍ଧ ଦମ୍ପତି ସେମାନଙ୍କ ଛୋଟ ତାଲା ବ୍ୟବସାୟକୁ କିଛି ନୁଆ ପରିଚୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆଉ ଏଥିପାଇଁ ସେ ତିଆରି କରୁଛନ୍ତି ଏକ ବଡ଼ ତାଲା । ଯାହାର ଓଜନ ପ୍ରାୟ ୩ ଶହ କିଲୋଗ୍ରାମରୁ ଅଧିକ । ତେବେ ଏହା ବିଶ୍ୱର ସବୁଠୁ ବଡ଼ ତାଲା ବୋଲି କୁହାଯାଉଛି।

ପାଖାପାଖି ୧୦୦ ବର୍ଷରୁ ଅଧିକ ଦିନ ହେଲାଣି ତାଙ୍କ ଏହି ତାଲା ବ୍ୟବସାୟ ଚାଲିଆସୁଛି। ତାଙ୍କ ପୂର୍ବରୁ ତାଙ୍କ ବାପା ଜେଜେବାପା ମଧ୍ୟ ଏହି କାମ କରୁଥିଲେ । ଆଉ ଏବେ ସେ ବି ଏହି କାମକୁ ଜାରି ରଖିଛନ୍ତି।  ଏହି ୩ଶହ କିଲୋଗ୍ରାମ ବିଶିଷ୍ଟ ତାଲା ତିଆରିରେ ତାଙ୍କୁ ତାଙ୍କ ପରିବାର ମଧ୍ୟ ସାହାଯ୍ୟ କରୁଛନ୍ତି । ତାଲାଟିର  ଲମ୍ବ  ୬ ଫୁଟ୍ ୨ ଇଞ୍ଚ ହୋଇଥିବାବେଳେ ଏହାର ଚଉଡ଼ା ୯:୫୦ ଇଞ୍ଚ୍। ଏହି ତାଲାରେ ପ୍ରାୟ ୬୦ କିଲୋ ପିତ୍ତଳର ବ୍ୟବହାର ହୋଇଛି । ତେବେ ଏହାକୁ ତିଆରି କରିବା ପାଇଁ ପାଖାପାଖି ୧ ଲକ୍ଷ ଟଙ୍କା ଲାଗୁଛି।

ଜୟପ୍ରକାଶ କହିଛନ୍ତି ଯେ ସେ ପିଲାଟିବେଳୁ ଏହି ତାଲା କାମ କରିଆସୁଛନ୍ତି । ଆଉ ତାଙ୍କର ସ୍ୱପ୍ନ ଥିଲା ଯେ ସମାଜରେ ନିଜ ପରିଚୟ ଓ ପ୍ରତିଷ୍ଠା ପାଇଁ ସେ ଦିନେ ଏମିତି ଜିନିଷ ତିଆରି କରିବେ ଯାହାଦ୍ୱାରା ପୂରା ଅଲିଗଡ଼ର ନାଁ ହେବ। ଆଉ ଏଥିପାଇଁ ସେ ଏହି ତାଲା ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଏକ ୧୦ ଲିଭର୍ ତାଲା । ଏହାର ଏକ ଚାବି ମଧ୍ୟ ରହିବ ଯେଉଥିରେ ଏହା ଖୋଲିବ। ତାଙ୍କ ପାଖରେ ଅର୍ଥ ଅଭାବ ଥିବାରୁ କିଛି ଲୋକ ତାଙ୍କୁ ଆର୍ଥିକ ସହଯୋଗ ମଧ୍ୟ ଦେଇଛନ୍ତି । ଜୟପ୍ରକାଶ କହିଛନ୍ତି ଯେ ଏହା ପରେ ସେ ଆଉ ଏକ ଏପରି ତାଲା ତିଆରି କରିବାକୁ ମଧ୍ୟ ଯୋଜନା ରଖିଛନ୍ତି।

Leave a Reply