ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ର ପଲିଟିକ୍ସରେ ନୂଆ ଟୁଇଷ୍ଟ । ଦେବେନ୍ଦ୍ର ଫଡନାବିସ ନୁହଁନ୍ତି ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ । ନିଜେ ଫଡନାବିସ୍ ଏହା ଘୋଷଣା କରିଛନ୍ତି । ଆଜି ସନ୍ଧ୍ୟା ସାଢେ ୭ଟାରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସିନ୍ଦେଙ୍କୁ ବିଜେପି କରିବ ସମର୍ଥନ । କ୍ଷମତା ନୁହେଁ, ହିନ୍ଦୁତ୍ବ ପାଇଁ ବିଜେପି ସମର୍ଥନ ଦେଇଥିବା ସ୍ପଷ୍ଟ କଲେ ଫଡନାବିସ୍ ।

ଉଭୟ ଫନଡାବିସ ଏବଂ ସିନ୍ଦେ ସାମ୍ବାଦିକ ସମ୍ମିଳନୀକୁ ଆସିଥିଲେ । ଏଥିରେ ଫଡନାବିସ୍ କହିଥିଲେ, ‘ବିଧାନସଭା ନିର୍ବାଚନରେ ବିଜେପି ସବୁଠାରୁ ବଡ଼ ଦଳ ଭାବେ ବିଜୟୀ ହୋଇଥିଲା । ଶିବସେନା, ବିଜେପି ସହ ମିଶି ନିର୍ବାଚନ ଲଢିଥିଲା । ହେଲେ ଶିବସେନା ଏନସିପି ଓ କଂଗ୍ରେସ ସହ ହାତ ମିଶାଇଲା, ଏହା ଜନମତକୁ ଅପମାନ ଥିଲା ।’

ସେ ଆଗକୁ କହିଛନ୍ତି, ‘ବାଲାସାହେବ ଠାକରେ ସବୁ ବେଳେ ଏନସିପି ଓ କଂଗ୍ରେସ ବିରୋଧୀ ଥିଲେ । ସେ ଥିଲେ କେବେ ବି ଏହି ଦୁଇ ଦଳ ସହ ମିଶି ସରକାର ଗଠନ କରିନଥାନ୍ତେ । ହେଲେ ଉଦ୍ଧବ ଠାକରେ ଶିବସେନାର ବିଚାରଧାରା ବିରୋଧରେ ଯାଇ ଏହି ଦୁଇ ଦଳ ସହ ନା କେବଳ ହାତ ମିଳାଇଲେ, ସରକାର ବି ଗଠନ କଲେ ।’

ସାମ୍ବାଦିକ ସମ୍ମିଳନୀରେ ପରୋକ୍ଷରେ ଫନଡାବିସ୍ ମହା ବିକାଶ ଅଘାଡିର ଜଣେ ମନ୍ତ୍ରୀକୁ ଟାର୍ଗେଟ୍ କରି କହିଥିଲେ, ‘ସମ୍ପୃକ୍ତ ମନ୍ତ୍ରୀଙ୍କର ଦାଉଦ ଇବ୍ରାହିମ ସହ ସମ୍ପର୍କ ଥିଲା । ଏହାପରେ ବି ଉଦ୍ଧବ ଠାକରେ ତାଙ୍କୁ ପଦରୁ ହଟାଇବାକୁ ଉଚିତ ମଣିଲେନି । ବାଲାସାହେବ ସବୁବେଳେ ଦାଉଦକୁ ବିରୋଧ କରୁଥିଲେ ।’

ଆଗକୁ ଯାଇ ଏକନାଥ ସନ୍ଦେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଫନଡାବିସ୍ ଘୋଷଣା କରିବା ସହ ବିଜେପି ସିନ୍ଦେ ସରକାରକୁ ସମର୍ଥନ କରିବ ବୋଲି ସ୍ପଷ୍ଟ କରି ଦେଇଚନ୍ତି । ଆଜି ସାଢେ ୭ଟାରେ କେବଳ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବାକି ଔପଚାରିକତା ପୂରଣ ହେବା ପରେ ବାକି ନେତା ମନ୍ତ୍ରୀ ଭାବେ ଶପଥ ନେବେ ।