ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ରର ଯାଞ୍ଚ, ରକ୍ଷା ହେଲାନି ସାମାଜିକ ଦୂରତା

କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକ୍ଡ଼ାଉନ୍ ପାଳନ କରାଯାଉଛି । ଏଥିରୁ ବଞ୍ଚିବା ପାଇଁ ସାମାଜିକ ଦୂରତା ହେଉଛି ଏକମାତ୍ର ବିକଳ୍ପ । ଯାହାପାଇଁ ସରକା ବାରମ୍ବାର ନିର୍ଦ୍ଦେଶ ଦେଉଛନ୍ତି । କିନ୍ତୁ ବାଲେଶ୍ୱର ଜିଲ୍ଲାରେ ଖୋଦ ସ୍ୱାସ୍ଥ୍ୟ ବିଭାଗ ସାମାଜିକ ଦୂରତାକୁ ନେଇ କେତେ ଗମ୍ଭୀର ତାହା ବୁଧବାର ଦିନ ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲା ସ୍କୁଲରେ ଆଜି ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ରର ଯାଞ୍ଚ ଚାଲିଥିଲା । ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ  ୩ ମାସିଆ ଠିକା କର୍ମଚାରୀ ଚୟନ ପାଇଁ ଏହା କରାଯାଇଥିଲା । ସେଇଥିପାଇଁ ଆବେଦନକାରୀ ଶହ ଶହ ସଂଖ୍ୟାରେ ସକାଳେ ଜିଲା ସ୍କୁଲ ପରିସରରେ ପହଞ୍ଚିଥିଲେ । ତେବେ ପରିତାପର ବିଶୟ ହେଲା  ସେଠାରେ ସାମାଜିକ ଦୂରତାର ନାମଗନ୍ଧ ନଥିଲା ।  ଚାକିରି ପାଇଁ ଆସିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ସଚେତନତା ନଥିଲା କି  ସ୍ୱାସ୍ଥ୍ୟ ବିଭାଗ ତରଫରୁ ନଥିଲା କିଛି  କଟକଣା ।

ସ୍ୱାଭାବିକ ଭାବେ ଆବେଦନକାରୀ କାର୍, ମୋଟର ସାଇକେଲରେ ପହଞ୍ଚି ସ୍କୁଲ ପରିସରରେ ଭିଡ଼ ଜମାଇଥିଲେ । ପରେ ସୂଚନାପାଇ ପୋଲିସ ପହଞ୍ଚି ଆବେଦନକାରୀ ମାନଙ୍କୁ ସାମଜିକ ଦୂରତ୍ୱ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲା । ଏଥିସହିତ ଭିଡ଼ ନକରି ଆବେଦନକାରୀଙ୍କ ନାମ ଡ଼କାଯିବା ପରେ ଆସିବାକୁ ମଧ୍ୟ କୁହାଯାଇଥିଲା ।

Leave a Reply