ବିନା ଅନୁମୋଦନରେ ଚାଲିଛି ପାଠପଢ଼ା!

1 min read

ଭୁବନେଶ୍ବର: ରାଜ୍ୟର ଅନେକ ଉଚ୍ଚଶିକ୍ଷାନୁଷ୍ଠାନରେ ଥିବା ଦୁଇ ବର୍ଷିୟା ଏମବିଏ ଓ ଏମସିଏ କୋର୍ସର ନାହିଁ ଏଆଇସିଟିଇ ଅନୁମୋଦନ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ଯାଞ୍ଚ ପରେ ଏପରି ତଥ୍ୟ ପ୍ରକାଶ ପାଇବା ପରେ ଉଚ୍ଚଶିକ୍ଷା ଉପ-ନିର୍ଦ୍ଦେଶକଙ୍କ ପକ୍ଷରୁ ନିୟମ ଖିଲାଫକାରୀ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି । ତୁରନ୍ତ ଏଆଇସିଟିଇ ଅନୁମୋଦନ ନେବାକୁ ସଂପୃକ୍ତ କଲେଜ ଗୁଡ଼ିକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।

ଅନୁ୍ଗୁଳ କଲେଜ, ବାଲେଶ୍ବରର ଫକୀର ମୋହନ କଲେଜ, ଭଦ୍ରକ କଲେଜ, କଟକ ଶୈଳବାଳା କଲେଜ, ଢେଙ୍କାନାଳ କଲେଜ, ଭୁବନେଶ୍ବର ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ, ବାରିପଦା ମହାରାଜା ପୂର୍ଣ୍ଣ ଚନ୍ଦ୍ର କଲେଜ ଓ ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜ । ୮ ଜିଲ୍ଳାର ଏ ସବୁ ସରକାରୀ ସ୍ବୟଂଶାସିତ କଲେଜ ଗୁଡ଼ିକୁ ନେଇ ବିଚିତ୍ର ତଥ୍ୟ ପ୍ରକାଶ ପାଇଛି । ଦୀର୍ଘ ବର୍ଷରୁ ଏ ସବୁ କଲେଜରେ ପଢାଯାଉଥିବା ସେଲଫ୍ ଫାଇନାନସିଂ ଏମବିଏ ଓ ଏମସିଏ କୋର୍ସକୁ ମିଳିନି ଏଆଇସିଟିଇ ଅନୁମୋଦନ । ଦୁଇ ବର୍ଷିୟ ଫୁଲ ଟାଇମ୍ ଏମବିଏ ଓ ଏମସିଏ କୋର୍ସ ପାଠ୍ୟକ୍ରମ ପାଇଁ ଏଆଇସିଟିଇ ଅନୁମୋଦନ ବାଧ୍ୟତାମୂଳକ ।

ହେଲେ ବିନା ଅନୁମୋଦନ, ଏମବିଏ ଓ ଏମସିଏ ପଢାଇବା ଏଆଇସିଟିଇ ନିୟମର ଉଲଂଘନ ଭାବେ ଚିଠି ଜରିଆରେ କଲେଜ ଗୁଡ଼ିକୁ ଦର୍ଶାଇଛି ଉଚ୍ଚଶିକ୍ଷା ବିଭାଗ । ଏହା ଦ୍ବାରା ବୈଷୟିକ ଶିକ୍ଷାର ମାନ ଓ ଗୁଣବତ୍ତା ନିର୍ଦ୍ଧାରଣ କରାଯାଇଥାଏ । ତୁରନ୍ତ ଏଆଇସିଟିଇ ଅନୁମୋଦନ ନେବା ବା ନବୀକରଣ କରିବାକୁ କଲେଜ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।

କଲେଜ ଗୁଡ଼ିକ ଧୀରେ ଧୀରେ ଉଚ୍ଚଶିକ୍ଷା ବିଭାଗ ଚିଠିର ଜବାବ ରଖୁଛନ୍ତି । କିଛି କଲେଜ ଏ ସବୁ ସେଲଫ୍ ଫାଇନାନସିଂ କୋର୍ସ ଆରମ୍ଭ କରିବା ସମୟରେ ଏଆଇସିଟିଇ ଅନୁମୋଦନ ଆବଶ୍ୟକ ପଡ଼ୁ ନଥିବା ନେଇ ମତ ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ପରେ ସେମାନେ ଏଆଇସିଟିଇ ଅନୁମୋଦନ ପାଇଁ ଆବେଦନ କରିବା ନେଇ ସ୍ପଷ୍ଟ କରିଛନ୍ତି । କିଛି ଦିନ ତଳେ ଅନେକ କଲେଜର ସ୍ବୟଂଶାସିତ ମାନ୍ୟତା କଟି ଯାଇଥିବା ନେଇ ବି ଉଦବେଗ ପ୍ରକାଶ କରିଥିଲା ଉଚ୍ଚଶିକ୍ଷା ବିଭାଗ । ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ସବୁ ସ୍ତରକୁ ଯାଞ୍ଚ କରାଯାଇ ଶିକ୍ଷା ଅନୁକୁଳ ବାତାବରଣ ସୃଷ୍ଟି କରିବାରେ ଲାଗିଛନ୍ତି ରାଜ୍ୟ ସରକାର । ଭୁବନେଶ୍ବରରୁ କ୍ୟାମେରାପର୍ସନ ଅବଦୁଲଙ୍କ ସହ ପ୍ରିୟ ପ୍ରୀତମ ମହାନ୍ତିଙ୍କ ରିପୋର୍ଟ, ନନ୍ଦିଘୋଷ ଟିଭି ।