ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ସାବଧାନ, ଦଳର ପଞ୍ଜୀକରଣ ପ୍ରତ୍ୟାହାର କରିପାରନ୍ତି ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ସାବଧାନ । ନିର୍ବାଚନ ନଲଢ଼ି କାଗଜ କଲମରେ ସୀମିତ ଥିବା ଦଳ ଗୁଡ଼ିକର ପଞ୍ଜିକରଣ ପ୍ରତ୍ୟାହୃତ କରିପାରନ୍ତି ନିର୍ବାଚନ କମିଶନ । ଏହି ଧରଣର ଦଳର ପଞ୍ଜିକରଣ ପ୍ରତ୍ୟାହାର କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି ନିର୍ବାଚନ କମିଶନ । ଏହି ଦଳଗୁଡ଼ିକ ଅନେକ ସମୟରେ ନିର୍ବାଚନ ନ ଲଢ଼ି ବିଭିନ୍ନ ଦୁର୍ନୀତିରେ ସାମିଲ ହେଉଥିବାରୁ ଉଗ୍ର ପଦକ୍ଷେପ ନେଇପାରନ୍ତି କମିଶନ । ବର୍ତ୍ତମାନର ନିର୍ବାଚନ ଆଇନ ଅନୁସାରେ ଏକ ରାଜନୈତିକ ଦଳକୁ ପଞ୍ଜିକରଣ କରିବା କ୍ଷମତା ନିର୍ବାଚନ କମିଶନ ନିକଟରେ ଥିବାବେଳେ, କୌଣସି ଦଳର ପଞ୍ଜିକରଣକୁ ପ୍ରତ୍ୟାହାର କରିବାର କ୍ଷମତା ଇସି ନିକଟରେ ନାହିଁ । ତେଣୁ ଏହି କ୍ଷମତା କମିଶନ ହାତରେ ଦେବା ଲାଗି କେନ୍ଦ୍ର ବିଧେୟକ ସଚିବଙ୍କ ନିକଟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ପ୍ରସ୍ତାବ ରଖିଛନ୍ତି ।

ଜନପ୍ରତିନିଧି ଆଇନ ଅନୁସାରେ କୌଣସି ଦଳର ମାନ୍ୟତା ପ୍ରତ୍ୟାହାର ଲାଗି କ୍ଷମତା ଦେବା ସକାଶେ ସରକାରଙ୍କ ନିକଟକୁ ପତ୍ର ଲେଖିଛନ୍ତି ରାଜୀବ କୁମାର । ଦେଶରେ ଅନେକ ରାଜନୈତିକ ଦଳ ପଞ୍ଜିକୃତ ହୋଇଥିଲେ ମଧ୍ୟ ସେମାନେ ନିର୍ବାଚନ ଲଢୁ ନଥିବା ଦେଖାଯାଉଛି । କାଗଜ କଲମରେ ସେମାନଙ୍କ କାର୍ଯ୍ୟକାଳପ ସୀମିତ ରହୁଛି । ସେହିପରି ନିର୍ବାଚନ ସମୟରେ ଅନେକ ପ୍ରକାର ଦୁର୍ନୀତିରେ ଲିପ୍ତ ହେବା ଦେଖାଯାଉଛି । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ନିର୍ବାଚନ କମିଶନ ସ୍ୱାଧୀନ ଭାବେ କାର୍ଯ୍ୟ କରିବ ଏବଂ ମୁକ୍ତ ଓ ଅବାଧ ନିର୍ବାଚନକୁ ଗୁରୁତ୍ୱ ଦେବ । ଏହି ନୀତି ଅନୁସାରେ ଲୋକଙ୍କ ଲାଗି କାର୍ଯ୍ୟ କରିବା ବା ଆଦର୍ଶଗତ ରାଜନୈତିକ କାର୍ଯ୍ୟକ୍ରମ ଦୃଷ୍ଟିରୁ ବିଭିନ୍ନ ଦଳକୁ ଇସି ପଞ୍ଜିକୃତ କରିଥାନ୍ତି ।

କିଛି ଦିନ ତଳେ ଏପରିକି ବିଭିନ୍ନ ଆର୍ଥିକ ଅନିୟମିତତା ସମ୍ପର୍କରେ ଖବର ମିଳିବା ପରେ ୩ଟି ଦଳ ବିରୋଧରେ ଅର୍ଥନୈତିକ ଅପରାଧ ମାମଲା ଆରମ୍ଭ କରିବା ଲାଗି ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ କମିଶନ । ବର୍ତ୍ତମାନ ଦେଶରେ ୮ଟି ପଞ୍ଜିକୃତ ସ୍ୱୀକୃତିପ୍ରାପ୍ତ ଜାତୀୟ ଦଳ ରହିଥିବା ବେଳେ, ୫୦ରୁ ଅଧିକ ପଞ୍ଜିକୃତ ସ୍ୱୀକୃତିପ୍ରାପ୍ତ ଆଞ୍ଚଳିକ ଦଳ ରହିଛନ୍ତି । ଦେଶରେ ପ୍ରାୟ ୨୮୦୦ ଅଣସ୍ୱୀକୃତିପ୍ରାପ୍ତ ପଞ୍ଜିକୃତ ରାଜନୈତିକ ଦଳ ରହିଛନ୍ତି ।