ବିହାରରେ ପୁଣି ବିଷାକ୍ତ ମଦମୃତ୍ୟୁ ମାମଲା, ମୋତିହାରୀରେ ୨୨ ଜଣଙ୍କ ସନ୍ଦେହଜନକ ମୃତ୍ୟୁ

ପୂର୍ବ ଚମ୍ପାରଣ: ବିହାରରେ ମଦ ଉପରେ ବ୍ୟାନ ଲାଗିଥିଲେ ହେଁ ଅବୈଧ ଦେଶୀ ଭାଟିଗୁଡ଼ିକ ଏବେ ବି ଚାଲିଛି । ଏହି ମଦରେ ଅନେକ ବିଷାକ୍ତ ଦ୍ରବ୍ୟ ଓ କେମିକାଲ ମିଶ୍ରଣ କରାଯାଉଛି । ଏହାକୁ ପିଇ ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ନିକଟରେ ବିଷାକ୍ତ ମଦ ପିଇ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଖବର ଚର୍ଚ୍ଚାରେ ରହିଥିଲା । ପୁଣି ଗୋଟେଥର  ବିହାରରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ମୋତିହାରୀ ଜିଲ୍ଲାରେ ପୁଣି ଗୋଟେଥର ବିଷାକ୍ତ ମଦର କହର ଦେଖିବାକୁ ମିଲିଛି । ସୂଚନାଯୋଗ୍ୟ, ପୂର୍ବ ଚମ୍ପାରଣରେ ସନ୍ଦିଗ୍ଧ ଅବସ୍ଥାରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି ।

ସେହିପରି ୧୦ରୁ ଅଧିକ ଲୋକ ଅସୁସ୍ଥ ରହିଛନ୍ତି । ଆଶଙ୍କା ରହିଛି ଯେ ସମସ୍ତଙ୍କ ମୃତ୍ୟୁ ବିଷାକ୍ତ ମଦ ପିଇବା ଯୋଗୁଁ ହୋଇଛି । ଅବଶ୍ୟ ବେତିଆ ଡିଆଇଜି ଜୟନ୍ତକାନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ପୃଷ୍ଟି କରିଛନ୍ତି । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମୋତିହାରୀର ତୁରକେଲିଆ, ହରସିଦ୍ଧୀ ଏବଂ ପହାଡପୁର ସମେତ ଅନ୍ୟ ଅଞ୍ଚଳରେ ଏପର୍ଯ୍ୟନ୍ତ ସୁଦ୍ଧା ସନ୍ଦିଗ୍ଧ ଅବସ୍ଥାରେ ୨୨ ଜଣଙ୍କ ମୃତ୍ୟୁ ହୋଇଯାଇଛି । ବେତିଆ ଡିଆଇଜିଙ୍କ କହିବା ଅନୁସାରେ ପୂର୍ବ ଚମ୍ପାରଣର ଭିନ୍ନ ଭିନ୍ନ ସ୍ଥାନରେ ୬ ଜଣଙ୍କ ମୃତ୍ୟୁ ହୋଇଛି ।

ପୋଲିସ ମାମଲାର ତଦନ୍ତ କରୁଛି । ଏହି ମାମଲାରେ ୭ ଜଣଙ୍କୁ ହେପାଜତକୁ ନିଆଯାଇ ପଚରା ଉଚରା କରାଯାଉଛି । ମିଳିଥିବା ସୂଚନାନୁସାରେ ମୋତିହାରୀର ତୁରକେଲିଆ, ହରସିଦ୍ଧୀ ଏବଂ ପହାଡପୁର ଥାନାରେ ଶୁକ୍ରବାର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଲୋକଙ୍କ କହିବା ଅନୁସାରେ ଏମାନଙ୍କ ମୃତ୍ୟୁ ବିଷାକ୍ତ ମଦ ପିଇବା ଦ୍ୱାରା ହୋଇଛି ।

ଅବଶ୍ୟ ପ୍ରଶାସନ ମୃତ୍ୟୁର କାରଣ ଡାଏରିଆ ବୋଲି କହିଛି । ମିଳିଥିବା ସୂଚନା ଅନୁସାରେ, ମଦ ପିଇବା ପରେ ଲୋକମାନେ ଶକ୍ତିହୀନ ହେବା ସହ ଦୃଷ୍ଟିଶକ୍ତି ମଧ୍ୟ ଚାଲିଯାଉଛି । ମୋତିହାରୀ ସଦର ହସ୍ପିଟାଲରେ ୫ ଜଣଙ୍କୁ ଭର୍ତ୍ତି କରାଯାଇଛି । ସେହିପରି ୪ଜଣଙ୍କୁ ମୁଜଫରପୁର ରେଫର କରାଯାଇଛି । ହରସିଦ୍ଧି ପହାଡପୁର ଏବଂ ତୁରକେଲିଆ ତାନା ଅଞ୍ଚଳରେ ଘଟଣା ଘଟିଛି । କୁହାଯାଉଛି ଯେ ତୁରକେଲିଆର ଲକ୍ଷିମପୁର ଗାଁରୁ ୪ ଅସୁସ୍ଥ ହସ୍ପିଟାଲରେ ପହଞ୍ଚିଛନ୍ତି ।