ମାଆ ତାରାତାରିଣୀଙ୍କ ପୀଠରେ ଚାଲିଛି ଷୋଳପୂଜା

ବ୍ରହ୍ମପୁର: ମଙ୍ଗଳବାରରୁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ପୀଠରେ ଆରମ୍ଭ ହୋଇଛି ଷଡ଼ଶ ଉପଚାର ପୂଜା । ଋଷିକୂଲ୍ୟା ନଦୀରୁ ମନ୍ଦିର ସେବାୟତ ପରିବାରର ମହିଳାମାନେ ସହସ୍ରାଧିକ ମାଠିଆରେ ପବିତ୍ର ପାଣି ଆଣି ପହଞ୍ଚିବା ପରେ ହୋଇଥିଲା ମାଆଙ୍କ ସ୍ନାନ ନୀତି । ଏହାପରେ ଷୋଳ ମାଆଙ୍କ ପରମ୍ପରା ଅନୁଯାୟୀ ଷୋଳ ପୂଜା ଆରମ୍ଭ ହୋଇଥିବା ବେଳେ ଦର୍ଶନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ ।

ମାଆ ତାରା ତାରିଣୀଙ୍କ ପୋଲପୂଜାକୁ ନେଇ ପୀଠରେ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଛି । ମୂଳାଷ୍ଟମୀରୁ ଆରମ୍ଭ ହୋଇଛି ମାଆଙ୍କ ଷଡ଼ଶ ଉପଚାର ପୂଜା । ପ୍ରଥମ ଦିନ ସନ୍ଧ୍ୟାରେ ସେବାୟତଙ୍କ ପରିବାରର ମହିଳାମାନେ ଋଷିକୂଲ୍ଯା ନଦୀରେ ପହଞ୍ଚିଥିଲେ । ନଦୀକୁ ରୀତିନୀତି ଅନୁଯାୟୀ ପୂଜା କରାଯାଇ ସହସ୍ରାଧିକ ମାଠିଆରେ ପାଣି ସଂଗ୍ରହ କରାଯାଇଥିଲା । ମୁଣ୍ଡରେ ମାଠିଆ ଧରି ୯୯୯ ପାହାଚ ଚଢ଼ି ମନ୍ଦିରରେ ପହଞ୍ଚିବା ପରେ ଅନୁଷ୍ଠିତ ହୋଇଥିଲା ମାଆଙ୍କ ସ୍ନାନନୀତି । ସ୍ନାନ ମଣ୍ଡପରୁ ମାଆ ମୁଖ୍ଯ ମନ୍ଦିରକୁ ଯିବା ପରେ ଶୟନ କରିଥିଲେ । ପରଦିନ ଉତଥାପନ ନୀତି ପରେ ମାଆଙ୍କ ଜଳଲାଗି କରି ଆରମ୍ଭ ହୋଇଥିଲା ଷଡ଼ଶ ଉପଚାର ପୂଜା ।

ସ୍ନାନ ମଣ୍ଡପରେ ସ୍ନାନ କରିବା ପରେ ମନ୍ଦିର ଭିତରେ ମାଆଙ୍କ ପୁଣି ମହାସ୍ନାନ କରାଯାଇଥିଲା । ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ମାଆଙ୍କ ପୀଠର ପ୍ରତିଦିନ ଚଣ୍ଡୀପାଠ, ହୋମ, ଯଜ୍ଞ ସହ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେବ । ଏହି ସମୟରେ ମାଆଙ୍କୁ ଦର୍ଶନ କଲେ ସକଳ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ପ୍ରତିଦିନ ମାଆଙ୍କ ପୀଠକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।