ଝିଅଙ୍କୁ ପ୍ରେମଜାଲରେ ଫଶାଇଥିବା ନକଲି IRS ଅଧିକାରୀ ଗିରଫ

1 min read

ନନ୍ଦିଘୋଷ ବ୍ୟୁରୋ: ମିଠା ମିଠା କଥା କହୁଥିଲେ, ଝିଅଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ବଡ଼ ଅଧିକାରୀ କହି ସ୍ବପ୍ନ ଦେଖାଇ ଝିଅଙ୍କ ସହ ରଖୁଥିଲେ ଖରାପ ସମ୍ପର୍କ । ଏପରିକି ସେମାନଙ୍କ ଅଶ୍ଲୀଳ ଫଟୋ ଏବଂ ଭିଡିଓ ରଖି ପରେ ବ୍ଲାକମେଲ କରୁଥିଲେ । ଆଉ ଯୁବତୀଙ୍କଠାରୁ ଟଙ୍କା ମାଗୁଥିଲେ । ଏପରି ଏକ ଖବର ରାଜସ୍ଥାନରୁ ସାମ୍ନାକୁ ଆସିଛି । ବିହାରରେ ନକଲି ଆଇପିଏସ ଅଧିକାରୀ ଧରାପଡ଼ିଥିବାବେଳେ ଏବେ ଜଣେ IRS ଅଧିକାରୀ ସାମ୍ନାକୁ ଆସିଛନ୍ତି । ଯିଏକି ଝିଅଙ୍କୁ ମିଛ ପ୍ରଲୋଭୋନ ଦେଖାଉଥିବା ଅଭିଯୋଗ ହୋଇଛି । ପୋଲିସ ତାଙ୍କୁ ଗିରଫ କରିଛି । ଜୟପୁରର ନ୍ୟାସନାଲ ନାର୍କୋଟିକ୍ସ ବ୍ୟୁରୋରେ କାମ କରୁଥିବା କହିଥିବା ଜଣାପଡ଼ିଛି । ଏହି ଘଟଣା ଥାନାରେ ପହଞ୍ଚିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ପୋଲିସ ଖବର ପାଇବା ପରେ ଜଣେ ପିଡ଼ିତାଙ୍କ ମାଧ୍ୟମରେ ଅଭିଯୁକ୍ତକୁ ହୋଟେଲକୁ ଡକାଇଥିଲା ଏବଂ ଗିରଫ କରିବାରେ ସଫଳ ହୋଇଛି । ସେ ୨୦୨୦ ବ୍ୟାଚରେ IRS ବୋଲି ନିଜକୁ ପରିଚୟ ଦେଇଥିଲା । ଯେଉଁଠାରେ କି, ଏବେ ଜେନେରାଲ ନିର୍ଦ୍ଦେଶକ ଅଛନ୍ତି ଘନଶ୍ୟାମ ସୋନି । କିନ୍ତୁ ସେ ନିଜକୁ ନିର୍ଦ୍ଦେଶକ ବୋଲି ପରିଚୟ ଦେଇ ଝିଅଙ୍କୁ ପ୍ରେମ ଜାଲରେ ଫସାଉଥିବା ଅଭିଯୋଗ ହୋଇଛି ।

ଗିରଫ ଅଭିଯୁକ୍ତର ନାମ ହେଉଛି ସରଭେଶ କୁମାଓ୍ବତ । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ସୂତ୍ରକୁ ଯଦି ବିଶ୍ବାସ କରାଯାଏ ତାହେଲେ ଅଭିଯୁକ୍ତ ଜଣକ ୨୫ ଜଣ ଝିଅକୁ ଏପରି ଫସାଇଛି । ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଠକି ନେଇଛି । ଏନେଇ ଥାନାରେ ମଧ୍ୟ ମାମଲା ହୋଇଛି । ସରଭେଶର ମୋବାଇଲ ଯାଞ୍ଚ କରିବା ପରେ ଜଣା ପଡ଼ିଛି କି, ସେ ଏଭଳି ଅନେକ ଝିଅଙ୍କ ସହ ଅଶ୍ଲିଳ ଚାଟ୍ ଏବଂ ପ୍ରେମ ଜାଲରେ ଫସାଉଥିଲା । ଏବଂ ପରେ ସେମାନଙ୍କୁ ବ୍ଲାକମେଲ କରି ଲକ୍ଷାଧିକ ଟଙ୍କାର ଚୂନ ଲଗାଇଛି । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବାବେଳେ ଆଗକୁ ଆଉ କେତେଜଣ ଅଭିଯୋଗ କରୁଛନ୍ତି ତାହା ଉପରେ ରହିଛି ପୋଲିସର ନଜର ।