spot_img

Latest Posts

ବାଲେଶ୍ୱରରେ ମୁଣ୍ଡ ଉପରେ ଝୁଲୁଛି ବିପଦ

ନନ୍ଦିଘୋଷ ବ୍ୟୁରୋ: ବିପଦରେ ଜୀବନ । କେତେବେଳେ ବି ଘଟିପାରେ ବଡ଼ ଅଘଟଣ । ତଥାପି ବେଫିକର ପ୍ରଶାସନ । ଚାରି ଶତାବ୍ଦୀରୁ ଅଧିକ ପୁରୁଣା ଐତିହାସିକ ସହର ବାଲେଶ୍ୱର ସହରରେ ମାଳମାଳ ଅସୁରକ୍ଷିତ କୋଠା । ଦେଢ଼ ଶହ ବର୍ଷର ବାଲେଶ୍ୱର ପୌରପାଳିକା ଏବେ ଅସୁରକ୍ଷିତ ଅଟ୍ଟାଳିକାର ବୋଝ ତଳେ ଚାପି ହୋଇଯାଇଛି । ଶତାବ୍ଦୀ ପୁରୁଣା ସରକାରୀ ଦପ୍ତର, ବିଦ୍ୟାଳୟ ଠାରୁ ଆରମ୍ଭ କରି ଜରାଜୀର୍ଣ୍ଣ ବେସରକାରୀ କୋଠା ଭିତରେ ପ୍ରତିଦିନ ଆତଙ୍କରେ ବିତୁଛି ଲୋକଙ୍କ ଜୀବନ । ଗତ ରବିବାର ସନ୍ଧ୍ୟାରେ ୧୨ ନମ୍ବର ୱାର୍ଡର ଏହି ଦୃଶ୍ୟ ଯେକୌଣସି ବ୍ୟକ୍ତିର ଛାତି ଥରାଇ ଦେବା ପାଇଁ ଯଥେଷ୍ଟ । ପ୍ରାୟ ୨୫୦ ବର୍ଷ ପୁରୁଣା ଦୁଇ ମହଲା କୋଠାଟି ଭୁଶୁଡ଼ି ପଡ଼ିଥିଲା । ସୌଭାଗ୍ୟବଶତଃ ରାସ୍ତା ଦେଇ ଯାଉଥିବା ଜଣେ ମହିଳା ମାତ୍ର କେଇ ସେକେଣ୍ଡର ବ୍ୟବଧାନରେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସହରବାସୀଙ୍କ ମୁଣ୍ଡ ଉପରେ ଝୁଲୁଥିବା ଏହି ବିପଦର ନିରାକରଣ ପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ସ୍ଥାନୀୟ ବାସୀ ଦାବି କରିଛନ୍ତି । ବାଲେଶ୍ୱର ସହରର ଗଳିକନ୍ଦିରେ ଏଭଳି ଦୁର୍ବଳ ଭିତ୍ତିଭୂମି ଉପରେ ଛିଡ଼ା ହୋଇଛି ଅଗଣିତ କୋଠା । ସହରର ସବୁଠାରୁ ଜନଗହଳିପୂର୍ଣ୍ଣ ବ୍ୟାବସାୟିକ କେନ୍ଦ୍ର ମୋତିଗଞ୍ଜ, ବାରବାଟୀ ଏବଂ ମାଣିଖମ୍ବ ଅଞ୍ଚଳରେ ଏବେ ବି ଶହ ଶହ ବର୍ଷ ପୁରୁଣା ଘର ଭିତରେ ସ୍କୁଲ ଓ ସରକାରୀ ଦପ୍ତର ଚାଲୁଛି । ସେପଟେ କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ଆସିନଥିବା କହି ପୌରାଧ୍ୟକ୍ଷା ନିଜ ଦାୟିତ୍ୱ ସାରିଦେଇଛି । ତେବେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପୁରୁଣା ସରକାରୀ ଓ ବେସରକାରୀ କୋଠା ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ ବୋଲି ଉପ-ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି ।

Latest Posts

Don't Miss