spot_img

Latest Posts

କରୋନା କାଳରେ ୧୦ ବର୍ଷ ତଳକୁ ଗଲା ଅର୍ଥନୀତି: ୧୧ ଲକ୍ଷ ଚାକିରି ଗୋଲ୍‌, ୨୩ କୋଟି ଲୋକ ପୁଣି ହେଲେ ଗରିବ

ନୂଆଦିଲ୍ଲୀ: କରୋନା କାଳରେ ବଢ଼ିଲା ଦାରିଦ୍ର୍ୟ । ମାଇନସ୍‌ ୭.୬ ପ୍ରତିଶତକୁ ଅଭିବୃଦ୍ଧି ହାର ହ୍ରାସ । କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ଅର୍ଥନୀତିକୁ ଦାୟୀ କଲା କଂଗ୍ରେସ । ବେକାରୀ ବଢ଼ିବା ଆଶଙ୍କା କଲା ବିଜେଡି । କରୋନା କାଳରେ ୧୦ ବର୍ଷ ତଳକୁ ଖସିଛି ଅର୍ଥନୀତି । ତେବେ କରୋନାକୁ ବାହାନା କରିବା କଥାକୁ କଟାକ୍ଷ କରିଛି କଂଗ୍ରେସ। ଦଳ କହିଛି, ବିମୁଦ୍ରୀକରଣ ଯୋଗୁ ୪ ବର୍ଷ ତଳୁ ଅର୍ଥନୀତି ନିମ୍ନଗାମୀ ହୋଇଚାଲିଛି । ୨୦୧୯-୨୦୨୦ରେ ମହାମାରୀ ନଥିଲା। ସେ ସମୟରେ ଅଭିବୃଦ୍ଧି ହାର ଥିଲା ୪ ପ୍ରତିଶତ । ୨୦୧୪ରେ ଆର୍ଥିକ ସ୍ଥିତି ଖରାପ ହେବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରଚେଷ୍ଟା ଯୋଗୁ ୨୦୧୪-୧୫ରେ ଅଭିବୃଦ୍ଧି ହାର ୪ଦଶମିକ ୧ ପ୍ରତିଶତ ଥିଲା। ଯଦି କରୋନା ପାଇଁ ଆର୍ଥିକ ସ୍ଥିତି ବିଗିଡ଼ିଥାନ୍ତା, ତେବେ ୧ଲକ୍ଷ ୩୧ ହଜାର କୋଟି ଟଙ୍କା ଜିଏସ୍‌ଟି କେମିତି ଏପ୍ରିଲରେ ସଂଗ୍ରହ ହେଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁ ୧୧ ଲକ୍ଷ ଲୋକ ଚାକିରି ହରାଇଲେଣି। ୨୩ କୋଟି ଲୋକ ପୁଣି ଗରିବୀ ସୀମାରେଖା ତଳକୁ ଗଲେଣି। ଏଭଳି ସ୍ଥିତିରେ ଗରିବ ଆହୁରି ଗରିବ ହେବେ ବୋଲି ଆକଳନ କରିଛି ବିଜେଡି । ଅନ୍ୟପଟେ କରୋନା ଯୋଗୁ ଉତ୍ପାଦନ ଓ ବ୍ୟବହାର କମିଥିବାରୁ ଅଭିବୃଦ୍ଧି ହାର କମିଥିବା ଅନୁମାନ କରିଛି ବିଜେପି । ଭାରତୀୟ ଅର୍ଥନୀତି ପ୍ରଗତିଶୀଳ ହୋଇଥିବାରୁ ଧୀରେ ଧୀରେ ଅଭିବୃଦ୍ଧି ହାର ବଢ଼ିବ ବୋଲି ବିଜେପି ହିସାବ କରିଛି ।

ତେବେ ଜୁନ ଶେଷ ଯାଏ ମାଗଣା ରାସନ ବଣ୍ଟନ, ମନରେଗାରେ ଦିନ ଓ ବଜେଟ ବୃଦ୍ଧି ସହ କେନ୍ଦ୍ର ସରକାର ରୋଜଗାର ନିୟମ ଲାଗୁ କରିବାକୁ ବିଶେଷଜ୍ଞ ମତ ଦେଇଛନ୍ତି । ନୂଆ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକ ପାଇଁ ରିଜର୍ଭ ବ୍ୟାଙ୍କ ମଧ୍ୟ ନୂଆ ଗାଇଡ୍‌ଲାଇନ୍‌ ଆଣିବା ଆବଶ୍ୟକ। ଗତବର୍ଷ ପରି ରାଜ୍ୟ ସରକାର ମହାମାରୀ ପ୍ୟାକେଜ ଆଣିଲେ ରାଜ୍ୟ ଅର୍ଥନୀତି ସୁଧୁରିବ ବୋଲି ବିଶେଷଜ୍ଞ କହିଛନ୍ତି।

ଅର୍ଥନୀତିର ବିକାଶ ଉପରେ ଆଗାମୀ ପିଢ଼ିର ଜୀବନଜୀବିକା ନିର୍ଭର କରୁଛି। କରୋନା ଯୋଗୁ ଶିକ୍ଷା ପ୍ରଭାବିତ ହୋଇଥିବାରୁ ଦକ୍ଷତାଭିତ୍ତିକ ଜୀବିକା ନିର୍ବାହ କରିବାକୁ ପଡ଼ିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ରୋତ୍ସାହନ ଗୁରୁତ୍ୱ ବହନ କରୁଛି।

Latest Posts

Don't Miss