ଓଡ଼ିଶାର ସବୁ ଭୋଟ ମିଳିବା ଦିଗରେ କରିବୁ କାମ, ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି

1 min read

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ମାଟିର ଝିଅ ତଥା ଏନଡିଏ  ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଫୋନ ଯୋଗେ କଥା ହୋଇ ରାଷ୍ଟ୍ରପତି ନିର୍ବାଚନ ପାଇଁ  ଶୁଭେଚ୍ଛା ଜଣାଇଛନ୍ତି । କଥା ହୋଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ମୁର୍ମୁଙ୍କ  ପ୍ରାର୍ଥୀତ୍ବ ଓଡ଼ିଶା ବାସୀଙ୍କ ପାଇଁ ଗର୍ବର ବିଷୟ । ମୁର୍ମୁଙ୍କୁ ଓଡ଼ିଶାରୁ ସବୁ ଭୋଟ୍ ମିଳିବା ଦିଗରେ କାମ କରିବୁ ବୋଲି କହିଛନ୍ତି ନବୀନ ।

NDA ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଗତ ୨୪ ତାରିଖରେ ନାମାଙ୍କନ ଭରି ସାରିଛନ୍ତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କୁ ସମର୍ଥନ ଦେବେ ବୋଲି ଘୋଷଣା କରିସାରିଛନ୍ତି  । ମୁର୍ମୁଙ୍କ ପ୍ରାର୍ଥୀ ପତ୍ର ଦାଖଲ ଦିନ ଓଡିଶାର ଦୁଇ ମନ୍ତ୍ରୀ ଜଗନ୍ନାଥ ସରକା ଓ ଟୁକୁନି ସାହୁ ଉପସ୍ଥିତ ରହି ପ୍ରସ୍ତାବକ ଭାବେ ହସ୍ତାକ୍ଷର କରିଥିଲେ  । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୨୯ ଜୁନ ଥିବା ବେଳେ ୩୦ ତାରିଖ ଯାଞ୍ଚ କରାଯିବ । ଆସନ୍ତା ଜୁଲାଇ ୨ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସୁଯୋଗ ରହିଛି ।  ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଦ୍ରୌପଦୀ  ।