ମାଲକାନଗିରିରୁ ଆରମ୍ଭ ହେବ BSKY ଡିଜିଟାଲ କାର୍ଡ ବଣ୍ଟନ, ଆସନ୍ତାକାଲି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ସ୍ୱାସ୍ଥ୍ୟ କ୍ଷେତ୍ରରେ ଗରିବ ଜନତା ପାଇଁ ସବୁଠୁ ବଡ଼ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଲୋକଙ୍କୁ ବଣ୍ଟାଯିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ। ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ମାଲକାନଗିରି ଜିଲ୍ଲାରେ ଏହି BSKY ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ମାଲକାନଗିରି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ପାଇଁ ବିଜୁ ଜନତା ଦଳର କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ବରିଷ୍ଠ ମନ୍ତ୍ରୀମାନେ ମାଲକାନଗିରିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାକୁ ପ୍ରସ୍ତୁତି ଜାରି ରଖିଛନ୍ତି।

କାର୍ଯ୍ୟକ୍ରରେ ୧୦ ଜଣ ନିଗମ ଅଧକ୍ଷ ମଧ୍ୟ ଯୋଗ ଦେବେ। ସ୍ଥାନୀୟ ସଂସ୍କୃତି ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ଜିଲ୍ଲାରେ ମୋଟ ୧ ଲକ୍ଷ ୫୫ ହଜାର ୮୨୩ ହେଲଥ୍‌ କାର୍ଡ ବଣ୍ଟନ କରାଯିବ। ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଯାଏ ପ୍ରତିବର୍ଷ ସ୍ୱାସ୍ଥ୍ୟ ବୀମା ମିଳିପାରିବ। କାଲିମେଳା ବ୍ଲକରେ ସର୍ବାଧିକ ୩୬ ହଜାର ୮୬୨ ଜଣ ହିତାଧିକାରୀ ରହିଥିବା ବେଳେ, ମାଲକାନଗିରି ବ୍ଲକରେ ୨୬ ହଜାର ୮୩୯, ମାଥିଲିରେ ୨୨ ହଜାର ୮୯୯, କୋରୁକୋଣ୍ଡାରେ ୧୮ ହଜାର ୫୫୦, ଚିତ୍ରକୋଣ୍ଡାରେ ୧୬ ହଜାର ୭୮୮, ଖଇରପୁଟରେ ୧୪ ହଜାର ୭୩୮, ପଡିଆ ବ୍ଲକରେ ୧୧ ହଜାର ୭୭୯, ମାଲକାନଗିରି ପୌର ପରିଷଦରେ 5୫ହଜାର ୧୭୩ ଏବଂ ବାଲିମେଳା ଏନଏସିରେ ୨ ହଜାର ୨୦୫ ହିତାଧିକାରୀ ଏହି ସୁବିଧା ପାଇବେ।

ଏଥିପଇଁ ୩୮୧ଟି ସ୍ୱାସ୍ଥ୍ୟ କାର୍ଡ ବିତରଣ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ଆସନ୍ତା ୨୧ରୁ ୨୫ ତାରିଖ ମଧ୍ୟରେ ସମସ୍ତ କାର୍ଡ ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦକୁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ପଡିଆ ବ୍ଲକ ପାଇଁ ମନ୍ତ୍ରୀ ନବକିଶୋର ଦାସ, ମାଲକାନଗିରି ବ୍ଲକ ପାଇଁ ମନ୍ତ୍ରୀ ସମୀର ରଞ୍ଜନ ଦାଶ, କାଲିମେଳା ବ୍ଲକ ପାଇଁ ଜଗନ୍ନାଥ ସାରକା, କୋରକୋଣ୍ଡା ବ୍ଲକ ପାଇଁ ପଦ୍ମିନୀ ଦିଆନ୍, ମାଥିଲି ବ୍ଲକ ପାଇଁ ମନ୍ତ୍ରୀ ଅରୁଣ ସାହୁ, ଖଇରପୁଟ ବ୍ଲକ ପାଇଁ ବିକ୍ରମ କେଶରୀ ଆରୁଖ, ଚିତ୍ରକୋଣ୍ଡା ବ୍ଲକ ପାଇଁ ତୁଷାରକାନ୍ତି ବେହେରା, ମାଲକାନଗିରି ପୌର ପରିଷଦ ପାଇଁ ମନ୍ତ୍ରୀ ପଦ୍ମନାଭ ବେହେରା, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପାଇଁ କୁନା ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ବିଭାଗ ପଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Leave a Reply