କୋଭିଡ ମହାମାରୀ ବିଭିନ୍ନ କ୍ଷେତ୍ରରେ ଥିବା ଦୁର୍ବଳତାକୁ ପଦାରେ ପକାଇଦେଇଛି

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗରେ ଶୁକ୍ରବାର କୋଭିଡ ପରବର୍ତ୍ତୀ ଅର୍ଥନୀତି ସମ୍ପର୍କିତ ଏକ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଶ୍ଵ ଅର୍ଥନୀତିରେ କୋଭିଡ୍ ର ପ୍ରଭାବ ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ମୁକାବିଲା ସଂପର୍କିତ ବହୁ ପରିସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। ସମ୍ମିଳନୀରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ଯେ, କୋଭିଡ ମହାମାରୀ ଆମର ବିଭିନ୍ନ କ୍ଷେତ୍ର ରେ ଥିବା ବହୁ ଦୋଷ ଦୁର୍ବଳତାକୁ ପଦାରେ ପକାଇବା ରେ ସଫଳ ହୋଇଛି। ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରି ଉକ୍ତ ଦୁର୍ବଳତା ଗୁଡ଼ିକର ସ୍ଥାୟୀ ସମାଧାନ ପ୍ରତି ଧ୍ୟାନ ଦେବାକୁ ହେବ।ସାଂପ୍ରତିକ କୋଭିଡ୍ ପରବର୍ତ୍ତୀ ପରିସ୍ଥିତିରେ ଗାନ୍ଧିଜୀଜୀଙ୍କ ସ୍ୱାବଲମ୍ବୀ ନୀତିକୁ ଆପଣେଇ ଦେଶରେ ଗ୍ରାମ୍ୟ କୁଟୀର ଶିଳ୍ପ ର ଉତ୍ଥାନ ଉପରେ ଗୁରୁତ୍ବ ଦେବାପାଇଁ ସେ ଏହି ଅବସରରେ ଆହ୍ୱାନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫକିର ମୋହନ ବିଶ୍ଵବିଦ୍ୟାଳୟର ପୁର୍ବତନ କୁଳପତି ପ୍ରଫେସର କୁମରବର ଦାସ କୋଭିଡ଼ ମହାମାରୀ ଯୋଗୁଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କିଭଳି ବାଧାପ୍ରାପ୍ତ ହୋଇଥିଲା ତାହାର ଏକ ବିସ୍ତୃତ ଚିତ୍ର ଉପସ୍ଥାପନ କରିଥିଲେ। ଅନ୍ୟତମ ଅତିଥଭାବେ ଯୋଗୋଦେଇଥିବା ଜାପାନ ୱାସୁଦା ବିଶ୍ଵବିଦ୍ୟାଳୟର ପ୍ରଫେସର ଡ କଟୋ ଅଟୁସୀ କହିଥିଲେ ଯେ,କୋଭିଦ୍ ସମୟରେ ଏହାର ମୁକାବିଲା କରିବା ଦିଗରେ ଭାରତ ସରକାରଙ୍କ ଭୂମିକା ପ୍ରଶଂସନୀୟ ଥିଲା। ପ୍ରାରମ୍ଭରେ ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ଗୁଲାମ୍ ମୋଇଉନ୍ଦିନ ଖାନ୍ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷ ତଥା ସମ୍ମିଳନୀର ଆୟୋଜକ ସଚିବ ଡ଼ ମଧୁବ୍ରତ। ଶତପଥୀ ସମ୍ମିଳନୀର ଗୁରୁତ୍ଵ ଏବଂ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ  ।

କୋରୋନା ମହାମାରୀର ପ୍ରାଦୁର୍ଭାବରେ ସମଗ୍ର ବିଶ୍ଵ ଅର୍ଥନୀତିରେ ଯେଉଁ ଆର୍ଥିକ ଓ ମାନସିକ ସମସ୍ୟା ଗୁଡ଼ିକ ସୃଷ୍ଟି ହୋଇଥିଲା ମନୁଷ୍ୟ ଜାତି ସେହି ଭୟାବହ ପରିସ୍ଥିତିରୁ ନିଜକୁ ସମାଧାନ ବାଟରେ ଅଗ୍ରସର କରି ଯେପରି ପୁନର୍ବାର ମାନସିକ ଏବଂ ଅର୍ଥନୈତିକ ସ୍ଥିରତା ପାଇପାରିବ ସେହିଦିଗରେ ଏହି ଆନ୍ତର୍ଜାତିକ ସମ୍ମିଳନୀ ଏକ ଆନ୍ତରିକ ପ୍ରୟାସ। ଶେଷରେ ଅଧ୍ୟାପିକା ମୌସୁମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶ ବିଦେଶର ଶତାଧିକ ଶିକ୍ଷାବିତ୍ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀରେ ୫୦ରୁ ଉର୍ଦ୍ଧ ସନ୍ଦର୍ଭ ଉପସ୍ଥାପନ କରାଯିବା କାର୍ଯ୍ୟକ୍ରମ ରହିଛି।