ମାତିଲେ ଡିଜିଟାଲ ଦଲାଲ , ଅନଲାଇନରେ ଡ୍ରାଇଭିଂ ଲାଇସେନ୍ସର କଳା କାରବାର
1 min readଆରଟିଓ କାର୍ଯ୍ୟାଳୟ ହେଲା ଦଲାଲ ମୁକ୍ତ । ସରକାରୀ କାର୍ଯ୍ୟାଳୟ ବାହାରେ ଚାଲିଥିବା ବେଆଇନ ଧନ୍ଦାରେ ଲାଗିଲା ଲଗାମ । କିନ୍ତୁ ଅନଲାଇନରେ ସକ୍ରିୟ ହୋଇଗଲେ ଦଲାଲ । ଏଣିକି ଅନଲାଇନରେ ଆରମ୍ଭ ହେଲା କଳା ବଜାରୀ । ଲାଇସେନ୍ସ ଯ଼ୋଗାଇ ଦେବା ପାଇଁ ଓ୍ବେବସାଇଟରେ କରୁଛନ୍ତି କାରବାର ।
ଆପଣ ଡ୍ରାଇଭିଂ ଲାଇସେନ୍ସ କରିନାହାନ୍ତି କି ? ଅନଲାଇନରେ ଆବେଦନ କରିବାକୁ ଚାହୁଁଛନ୍ତି କି ? ଯ଼ଦି ଆବେଦନ କରୁଛନ୍ତି ତେବେ ଏହି ରିପୋର୍ଟ ନିଶ୍ଚୟ ପଢନ୍ତୁ ।
ଡିଜିଟାଲ ଦଲାଲଙ୍କ ଜାଲରେ ଆପଣବି ପଡିପାରନ୍ତି । ଲାଇସେନ୍ସ ବାବଦକୁ ୧୦ ଗୁଣା ଟଙ୍କା ନେଇଯାଉଛନ୍ତି ଡିଜିଟାଲ ଦଲାଲ । ଅତି ସହଜରେ ଅନଲାଇନ ଜରିଆରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଓ୍ବେବସାଇଟ କରିଛନ୍ତି । ଓ୍ବେବସାଇଟର ଅନଲାଇନ ସର୍ଭିସରେ କ୍ଲିକ କରି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିହେବ । ଏବେ ଏହି ଫର୍ମୁଲାକୁ ଆପଣେଇଛନ୍ତି ଡିଜିଟାଲ ଦଲାଲ । କେତେକ ଠକ ସଂସ୍ଥା ଲାଇସେନ୍ସ ପ୍ରଦାନ କରିବା ପାଇଁ ଫେକ ବା ନକଲି ଓ୍ବେବସାଇଟ ତିଆରି କରିଛନ୍ତି । ଓ୍ବେବସାଇଟକୁ ଟିକେ ଭଲ ଭାବେ ଦେଖନ୍ତୁ । ଡିଜିଟାଲ ଇଣ୍ଡିଆ ଓ ସ୍ବଛ ଭାରତର ଲୋଗୋ ରହିଛି ଏହି ଓ୍ବେବସାଇଟରେ । ଆଉ ମଝିରେ ପ୍ରଧାନମୃନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ । ଓ୍ବେବସାଇଟର ଏହି ପେଜକୁ ଦେଖିଲେ ଯେ କେହି ଏହାକୁ ସରକାରୀ ଓ୍ବେବସାଇଟ ଭାବିନେବ ।
ଏହି ଫର୍ମାଟରେ ବ୍ୟକ୍ତିଗତ ସୂଚନା ଦେବା ପାଇଁ ଲେଖାଯାଇଛି । ଏସବୁ ଲେଖିବା ପରେ ୧୯୫୦ ଟଙ୍କା ଅନଲାଇନ ପେମେଣ୍ଟ କରିବାକୁ ପଡିବ । ଏତକ କଲେ ଅନଲାଇନରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ ହୋଇଯିବ । ଏକ ମାସ ପରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବା ବେଳେ ପୁଣି ଥରେ ଅନଲାଇନରେ ୧୯୫୦ ଟଙ୍କା ପେମେଣ୍ଟ କରିବାକୁ ପଡିବ ବୋଲି ସଂସ୍ଥାର କର୍ମଚାରୀ କହିଛନ୍ତି ।
ଭୁବନେଶ୍ବରର ଜ୍ଞାନରଞ୍ଜନ ଦାସ ଏଭଳି ଏକ ଠକାମୀର ଶିକାର ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଅନ୍ୟମାନଙ୍କ ଭଳି ଜ୍ଞାନରଞ୍ଜନ ବି ଅନଲାଇନରେ ଲର୍ଣ୍ଣିଂ ଲାଇସେନ୍ସ ଆବେଦନ କଲେ । କିନ୍ତୁ ସରକାରୀ ଓ୍ବେବସାଇଟ ବଦଳରେ ଏହି ଫେକ ଦଲାଲଙ୍କ ଓ୍ବେବସାଇଟରେ ଆବେଦନ କଲେ । ନିଜର ସବୁ ସୂଚନା ଦେବା ପରେ ୧୯୫୦ ଟଙ୍କା ବି ଅନଲାଇନରେ ପେମେଣ୍ଟ କଲେ । ଲାଇସେନ୍ସ ସଂପର୍କରେ କଲ କରି ପଚାରିବାରୁ ଜ୍ଞାନଙ୍କ ମୋବାଇଲ ନମ୍ବର ବ୍ଲକ କରିଦେଇଛି ଏହି ଠକ ସଂସ୍ଥା ।
ଏଭଳି ଅନେକ ଓ୍ବେବସାଇଟ ଏବେ ଉପଲବ୍ଧ ଅଛି । ତେବେ ଏଭଳି ଡିଜିଟାଲ ଦଲାଲଙ୍କ ଫାସରେ ନପଡି ସରକାରୀ ଓ୍ବେବସାଇଟରେ ହିଁ ଲାଇସେନ୍ସ ଆବେଦନ କରିବାକୁ ସଡକ ଓ ପରିବହନ ବିଭାଗ ପରାମର୍ଶ ଦେଇଛି । ')}