ବିଧାନସଭାରେ ପ୍ରବଳ ହଟ୍ଟଗୋଳ, ତେଜସ୍ୱୀ କହିଲେ ନୀତିଶଙ୍କୁ ଝିଅ ଜନ୍ମର ଭୟ ଥିଲା !

1 min read
Nitish- Tejaswi

ପାଟନା: ବିହାର ବିଧାନସଭାରେ ପ୍ରବଳ ହଟ୍ଟଗୋଳ । ବିରୋଧୀଦଳ ନେତା ତେଜସ୍ୱୀ ଯାଦବ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ପରେ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଏହି ପ୍ରଚଣ୍ଡ ହୋ-ହଲ୍ଲା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ତେଜସ୍ୱୀଙ୍କ ବିବୃତ୍ତିକୁ ଲଜ୍ଜାଜନକ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ଗୃହ ଭିତରେ ଏପରି ବିବୃତ୍ତି ଦେବା ଅତ୍ୟନ୍ତ ଅଶୋଭନୀୟ । ତେଜସ୍ୱୀଙ୍କୁ ବିଧାନସଭାର ସମ୍ମାନ ରକ୍ଷା କରିବାକୁ ହେବ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଏଭଳି ମନ୍ତବ୍ୟ ଦେବା ଉଚିତ ନୁହେଁ । ଏହା ଏକ ଖରାପ ପରମ୍ପରା ଆରମ୍ଭ ହେବାକୁ ଯାଉଛି ବୋଲି ତାରକିଶୋର କହିଥିଲେ ।

କୁହାଯାଉଛି ଯେ, ନିର୍ବାଚନ ପ୍ରଚାର ବେଳେ ତେଜସ୍ୱୀ ଯେଭଳି ନୀତିଶଙ୍କୁ ଟାର୍ଗେଟ୍‌ କରୁଥିଲେ, ସେହିଭଳି ବିଧାନସଭା ଭିତରେ ମଧ୍ୟ ଏବେ ଟାର୍ଗେଟ୍‌ କରିବାକୁ ଚେଷ୍ଟା କରୁଛନ୍ତି । ତେଜସ୍ୱୀଙ୍କ ମୁଣ୍ଡରୁ ପ୍ରଚାର ଭୂତ ଏବେ ସୁଦ୍ଧା ଉତୁରି ନାହିଁ । ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭା ଭିତରେ ବ୍ୟକ୍ତିଗତ ଆକ୍ଷେପ କରିବାକୁ ବି ପଛାଉ ନାହାନ୍ତି ।

ତେଜସ୍ୱୀ କହିଥିଲେ ଯେ, ପ୍ରଚାର ସମୟରେ ନୀତିଶ ଲାଲୁ ଯାଦବଙ୍କ ବିଷୟରେ ଅନେକ କଥା କହି କଟାକ୍ଷ କରିଛନ୍ତି । ଏମିତିକି ପୁଅଟିଏ ପାଇଁ ଲାଲୁ ଯାଦବ ୯ଟି ଛୁଆ ଜନ୍ମ କରିଥିବା କଥା ମଧ୍ୟ ନୀତିଶ କହିଛନ୍ତି । ତେବେ ନୀତିଶଙ୍କର କା’ଣ ଝିଅ ଜନ୍ମ ହେବାର ଭୟ ଥିଲା କି ? ସେଥିପାଇଁ ସେ ଦ୍ୱିତୀୟ ଛୁଆ ଜନ୍ମ କଲେ ନାହିଁ କି ?

ତେବେ ଏଭଳି ବିବୃତ୍ତିକୁ ସରକାରୀ ଦଳର ବିରୋଧ ସତ୍ତ୍ୱେ ତେଜସ୍ୱୀଙ୍କ ବିବୃତ୍ତିକୁ ରକ୍ଷା ଆର୍‌ଜେଡି ନେତାମାନେ ସମର୍ଥନ କରିଥିବା ଦେଖାଯାଇଛି । ଆରଜେଡି ନେତା ସୁବୋଧ ରାୟ କହିଛନ୍ତି ଯେ, ‘ଗୃହରେ ବ୍ୟକ୍ତିଗତ ଆକ୍ଷେପ ହେବା ଉଚିତ ନୁହେଁ, କିନ୍ତୁ ଯଦି ବିପକ୍ଷ ଦଳ ବ୍ୟକ୍ତିଗତ ଆକ୍ଷେପ କରେ ତେବେ ଆମେ ମଧ୍ୟ ଚୁପ୍ ରହିବୁ ନାହିଁ । ନୀରଜ କୁମାର କେଉଁ ଭାଷାରେ କଥା ହୁଅନ୍ତି ତାହା ସମସ୍ତେ ଜାଣନ୍ତି । ଏହା ତ କିଛି ନୁହେଁ ଆଗକୁ ଅନେକ କିଛି ହେବାର ଅଛି ।’ ସୁବୋଧଙ୍କ ଏଭଳି ବୟାନ୍‌ ପରେ ଗୃହରେ ହୋ-ହଲ୍ଲା ଅଧିକ ବଢ଼ିଥିଲା ।

ଅନ୍ୟପକ୍ଷରେ ତେଜଶ୍ୱୀଙ୍କ ବିବୃତ୍ତିକୁ ଦୃଢ଼ ବିରୋଧ କରି ଜେଡିୟୁ ନେତା ଗୁଲାମ ରସୁଲ ବଲିଆବି କହିଛନ୍ତି ଯେ, ଗୃହରେ ତେଜସ୍ୱୀ ଦେଇଥିବା ବିବୃତ୍ତି ଅତ୍ୟନ୍ତ ଲଜ୍ଜାଜନକ । ସେହିଭଳି ବିଜେପି ନେତା ସଞ୍ଜୟ ସରବାଗୀ କହିଛନ୍ତି ଯେ, ଏହା ତେଜସ୍ୱୀଙ୍କ ହତାଶା ପଣକୁ ଦର୍ଶାଉଛି । ସରବାଗୀ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ପୂର୍ବରୁ ତେଜସ୍ୱୀ ନିଜକୁ ମୁଖ୍ୟମନ୍ତ୍ରୀ ବୋଲି ଭାବି ସାରିଥିଲେ । କିନ୍ତୁ ଏବେ ସେ ଅତ୍ୟନ୍ତ ବିଶାଦଗ୍ରସ୍ତ ଅଛନ୍ତି । ତେଣୁ ତାଙ୍କ ମୁହଁରୁ ଏଭଳି ଏଣୁତେଣୁ କଥା ବାହାରୁଛି ।

Leave a Reply