ଝାରସୁଗୁଡ଼ା ଲଖନପୁର ବ୍ଲକରେ ବ୍ୟାପିଲା ଡାଇରିଆ, ବାଦିମାଳ ଗାଁରେ ଜଣେ ଯୁବତୀଙ୍କ ନେଲା ଜୀବନ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପିଥିଣ୍ଡା ଗ୍ରାମରେ ବ୍ୟାପିଲା ଡାଇରିଆ । ଝାଡାବାନ୍ତିରେ ବାଦିମାଳ ଗାଁର ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଝାଡାବାନ୍ତିରେ ଆକ୍ରାନ୍ତ ହେବା ପରେ ଉକ୍ତ ଯୁବତୀଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ସେହିପରି ଝାଡ଼ାବାନ୍ତିରେ ପିଥଣ୍ଡା ଗାଁରେ ୨୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ, ୧୮ ଜଣଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା କରାଯିବା ସହ ପିଥିଣ୍ଡା ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।