ଢେଙ୍କାନାଳ ମଗଜି ଲଡୁକୁ ଜିଆଇ ଟ୍ୟାଗ ମିଳିବା ପରେ ଜିଲ୍ଲାରେ ଖୁସିର ମାହୋଲ

ଢ଼େଙ୍କାନାଳ: ଢେଙ୍କାନାଳ ମଗଜି ଲଡୁକୁ ମିଳିଲା ଭୌଗଳିକ ପରିଚୟ । ଜିଆଇ ଟ୍ୟାଗ ମିଳିବା ପରେ  ଜିଲ୍ଲାରେ ଖୁସିର ମାହୋଲ । ଗଂଦିଆରେ ବାଜା ବଜାଇ ନାଚିଗାଇ ସେଲିବ୍ରେସନ କଲେ ଅଞ୍ଚଳବାସୀ । ଜିଲ୍ଲାପାଳ ଓ ଆବେଦକ ବିମଳେନ୍ଦୁ ମହାନ୍ତିଙ୍କୁ ମିଠା ଖୁଆଇ ଉତ୍ସବ ପାଳିଲା ବ୍ୟବସାୟୀ ଓ ଚ୍ୟାମ୍ବର ଅଫ କମର୍ସ । ଢେଙ୍କାନାଳ ଗଂଦିଆ ଅଞ୍ଚଳରେ ୬ଶହ ବର୍ଷ ହେବ ମଇଁଷି ଖିରର ଛେନାରୁ ଏହାକୁ ପ୍ରସ୍ତୁତ କରାଯାଉଛି ।

ଦୀର୍ଘ ପ୍ରତିକ୍ଷାର ଘଟିଲା ଅନ୍ତ । ସାକାର ହେଲା ଢେଙ୍କାନାଳ ବାସୀଙ୍କ ସ୍ବପ୍ନ । ଜିଲ୍ଲାରେ ପସ୍ତୁତ ସ୍ବତନ୍ତ୍ର ମଗଜି ଲଡୁକୁ ମିଳିଲା ମାନ୍ୟତା  । ସ୍ବାଦିଷ୍ଟ ଏହି ମିଷ୍ଟାନ୍ନକୁ ଜିଆଇ ଟ୍ୟାଗ ମାନ୍ୟତା ପ୍ରଦାନ କରାଯାଇଛି । ଏନେଇ ସମଗ୍ର ଢେଙ୍କାନାଳ ଜିଲ୍ଲାରେ ଖେଳି ଯାଇଛି ଖୁସିର ମାହୋଲ । ବିଶେଷ କରି ମଗଜିର ଉତ୍ପତ୍ତି ସ୍ଥଳ ଗଂଦିଆରେ ଏହି ଖୁସିକୁ ଜାଗଜକମରେ  ପାଳନ କରାଯାଇଛି  ।  ଅଞ୍ଚଳବାସୀ ବାଜା ବଜାଇ ନାଚିଗାଇ ପରସ୍ପରକୁ ମଗଜି ଖୁଆଇ କରିଛନ୍ତି ସେଲିବ୍ରେସନ । କେବଳ ଗଂଦିଆ କାହିଁକି ଢେଙ୍କାନାଳରେ ମଧ୍ୟ ଜିଲ୍ଲା ସୁଇଟ୍ସ ଆସୋସିଏସନ ଚ୍ୟାମ୍ବର ଅଫ କମର୍ସ ମିଳିତ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୁସି ମନାଇଛନ୍ତି ।

ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ତଥା ମଗଜିକୁ ଜି ଆଇ ଟ୍ୟାଗ ପାଇଁ ଆବେଦନ କରିଥିବା ଆବେଦକ ବୈଜ୍ଞାନିକ ଡଃ ବିମଳେନ୍ଦୁ ମହାନ୍ତି ଓ ଜିଲ୍ଲାପାଳ ମଧ୍ୟ ମଗଜି ଖାଇ ଖୁସିର ମାହୋଲ ଉପଭୋଗ କରିଛନ୍ତି । ଆଗକୁ ଏହାର ବ୍ୟାପକ ପ୍ରଚାର ପ୍ରସାର ସହ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ। ଆଜିକୁ ପ୍ରାୟ ୬ଶହ ବର୍ଷ ହେବ ମଗଜିକୁ ଗଂଦିଆରେ ପ୍ରସ୍ତୁତ କରାଯାଉଛି । କପିଳାସ ପାହାଡ ଓ ବ୍ରାହ୍ମଣୀ ନଦୀ ପଠାରେ ବିଚରଣ କରୁଥିବା ଡାଳୁଆ ମଇଁଷିଙ୍କ ଖୀରର ଛେନାରେ ଚିନି ଗୁଜୁରାତି ପକାଇ ଏହି ମଗଜି ତିଆରି କରାଯାଇଥାଏ । ୨୦୨୦ ମସିହାରେ ଓୟୁଏଟି ସହଯୋଗରେ ଢେଙ୍କାନାଳ ସୁଇଟସ ଆସୋସିଏସନ ପକ୍ଷରୁ ମଗଜିକୁ ଜି ଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରାଯାଇଥିଲା । ଗତ ୨୦୨୩ ଅଗଷ୍ଟରେ ଜିଓଗ୍ରାଫିକାଲ ଇଣ୍ଡିକେସନ ଜର୍ନାଲରେ ଏହା ସ୍ଥାନ ପାଇଥିଲା । ତିନିମାସ ମଧ୍ୟରେ କୌଣସି ଆପତ୍ତି ଅଭିଯୋଗ ନଆସିବା ପରେ ଶେଷରେ ମଗଜିକୁ ମିଳିଛି ଜିଆଇ ଟ୍ୟାଗର ମାନ୍ୟତା ।