ମୁଁ ଅବସର ନେଇନି, ସୋସିଆଲ ମିଡିଆରେ ଏମିତି ପୋଷ୍ଟ କଲେ ଡେଭିଡ୍ ମିଲର

1 min read

ନନ୍ଦିଘୋଷ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟରୁ ଡେଭିଡ ମିଲରଙ୍କ ଅବସର ଘୋଷଣା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମସ୍ତ କ୍ରିକେଟପ୍ରେମୀମାନେ ଡେଭିଡ ମିଲରଙ୍କ ଅବସରକୁ ନେଇ ପ୍ରଶ୍ନ ଉଠାଇଥିବାବେଳେ ସେ ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚକୁ ଡରି ସନ୍ୟାସ ଘୋଷଣା କରିଥିବା ନେଇ କିଛି ୟୁଜର୍ସ ପୋଷ୍ଟ କରିଥିଲେ । ଯାହାକି ବେଶ ଭାଇରାଲ ହେବାରେ ଲାଗିଥିଲା । ବାସ୍ତବରେ କିନ୍ତୁ ମିଲର କୌଣସି ଅବସର ଘୋଷଣା କରିନାହାନ୍ତି । କୌଣସି ଅଫିସିଆଲ ଭାବେ ସେ ଅବସର ଘୋଷଣା କରିନାହାନ୍ତି । ଏପରିକି ଦଳ ପକ୍ଷରୁ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନଥିଲା । ମାତ୍ର ସୋସିଆଲ ମିଡିଆରେ କିଛି ୟୁଜର୍ସ ଏଭଳି ଭାଇରାଲ କରୁଥିଲେ । ତେବେ ଏହାକୁ ନେଇ ସ୍ପଷ୍ଠ କରିଛନ୍ତି ମିଲର । ସେ ନିଜର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସ୍ପଷ୍ଠ କରିଛନ୍ତି । ସେ ଲେଖିଛନ୍ତି କି, ମୁଁ ଟି-୨୦ରେ ଖେଳ ଜାରି ରଖିଛି । ଆଗକୁ କିଛି ଭଲ ହେବାକୁ ଯାଉଛି ।

କହି ରଖୁଛୁ କି, ଟି-୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ ଭାରତ ହରାଇ ଚାମ୍ପିୟନ ହୋଇଛି । ଏହି ଟ୍ରଫି ଜିତିବା ପରେ ଭାରତର ଦକ୍ଷ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି । ଯାହାକୁ ସହଜରେ କ୍ରିକେଟ ପ୍ରେମୀମାନେ ବିଶ୍ବାସ କରିପାରୁନାହାନ୍ତି ।