ଆଉ ନାହାନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜେତା ଡେସମଣ୍ଡ ଟୁଟୁ

1 min read

କେପଟାଉନ: ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ଦକ୍ଷିଣ ଆଫ୍ରିକାର ଜନପ୍ରିୟ ନେତା ଆର୍କବିଶପ୍ ଡେସମଣ୍ଡ ଟୁଟୁଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟର ଅବସାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ ଟୁଟୁ । ତାଙ୍କ ମୃତ୍ୟୁର ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମାଫୋସା ଶୋକ ବ୍ୟକ୍ତ କରିଛନ୍ତି ।

କେବଳ ଦକ୍ଷିଣ ଆଫ୍ରିକା ନୁହେଁ ସାରା ବିଶ୍ୱରେ ସେ ବର୍ଣ୍ଣବୈଷମ୍ୟ ନୀତି ବିରୋଧରେ ହେଉଥିବା ଆନ୍ଦୋଳନର ପ୍ରେରଣାଦାତା ଥିଲେ । ସେ ୭ ଅକ୍ଟୋବର ୧୯୩୧ରେ ଜନ୍ମ ଗ୍ରହଣ କରିଥିଲେ । ମାନବାଧିକାର ପ୍ରତିଷ୍ଠା କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ ୧୯୮୫ରୁ ୧୯୮୬ ଯାଏ ଜୋହନ୍ସବର୍ଗର ବିସପ ଥିଲେ  ଏବଂ ୧୯୮୬ରୁ ୧୯୯୬ ଯାଏ କେପ୍ ଟାଉନର ଆର୍କବିଶପ୍ ଥିଲେ ।

କ୍ଲର୍କସଡ୍ରପରେ ଜନ୍ମିତ ଡେସମଣ୍ଡ ସାରା ଜୀବନ ବର୍ଣ୍ଣବୈଷମ୍ୟବାଦ ବିରୋଧରେ ଲଢେଇ କରିଥିଲେ । ୧୯୮୦ ଦଶକରେ ସେ ଏହି ଆନ୍ଦୋଳନ ଜରିଆରେ ସାରା ବିଶ୍ୱରେ ଜଣେ ଚର୍ଚ୍ଚିତ ନେତା ଭାବେ ଉଭା ହୋଇଥିଲେ । ତାଙ୍କୁ ୧୯୮୪ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ଦକ୍ଷିଣ ଆଫ୍ରିକାରେ ଟୁଟୁ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ଆଙ୍ଗଲିକାନ ଚର୍ଚ୍ଚରେ ବିଶପ୍ ହେବାର ସୁଯୋଗ ପାଇଥିଲେ । ଦେଶରେ ପ୍ରଥମ ଗଣତାନ୍ତ୍ରିକ ନିର୍ବାଚନ ହେବା ପରେ ନବଗଠିତ ସତ୍ୟ ଓ ସ୍ୱୀକାର ଆୟୋଗ ବା ଟିଆରସିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ଅନ୍ୟତମ ବର୍ଣ୍ଣବୈଷମ୍ୟ ବିରୋଧୀ ନେତା ନେଲସନ ମାଣ୍ଡେଲାଙ୍କ ସମକାଳୀନ ନେତା ଭାବେ ସେ ଏହି ଆନ୍ଦୋଳନକୁ ଆଗେଇ ନେଇଥିଲେ । ଦକ୍ଷିଣ ଆଫ୍ରିକାରେ କୃଷ୍ଣକାୟଙ୍କ ଉପରେ ଗୋରାମାନଙ୍କ ଆକ୍ରମଣ ବିରୋଧରେ ସେ ଅନେକ ଆନ୍ଦୋଳନର ରଥୀ ଥିଲେ ।

Leave a Reply