T20 World Cup: ଉଠିଲା ପାକିସ୍ତାନ ସହ ମ୍ୟାଚ୍ ରଦ୍ଦ ଦାବି

1 min read

ନୂଆଦିଲ୍ଲୀ: ଗତ କିଛିଦିନ ମଧ୍ୟରେ ଜମ୍ମୁ ଓ କାଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ୯ଜଣ ଯବାନ ସହିଦ ହୋଇଥିବା ବେଳେ ଏକାଧିକ ସାଧାରଣ ଜନତାଙ୍କ ଜୀବନ ଯାଇଛି । ବିଶେଷ କରି ଅଣ ହିନ୍ଦୁମାନଙ୍କୁ ସେଠାରେ ଆତଙ୍କୀ ଟାର୍ଗେଟ କରୁଛନ୍ତି । ପାକିସ୍ତାନୀ ଆତଙ୍କୀଙ୍କ ଏପରି ନରସଂହାରକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ଆସନ୍ତା ଅକ୍ଟୋବର ୨୪ ତାରିଖରେ ଟି-ଟ୍ବଣ୍ଟି ବିଶ୍ବକପରେ ପାକିସ୍ତାନ ସହ ହେବାକୁ ଥିବା ମ୍ୟାଚକୁ ରଦ୍ଦ କରିବାକୁ ଦାବି ଉଠିବାରେ ଲାଗିଛି ।

ଏହି ଦାବି ଆତଙ୍କୀଙ୍କ ଗୁଳିରେ ଜୀବନ ହରାଇଥିବା ଜଣେ ଗୁପଚୁପ ବିକାଳିଙ୍କ ବାପା ଉଠାଇଛନ୍ତି । ସେ କହିଛନ୍ତି, ‘‘ଭାରତ-ପାକିସ୍ତାନ ମଧ୍ୟରେ ଟି-ଟ୍ବଣ୍ଟି ବିଶ୍ବକପ୍ ମ୍ୟାଚ୍ ରଦ୍ଦ ହେବା ଆବଶ୍ୟକ । ସରକାର ଏହା ଉପରେ ବିଚାର କରିବା ଉଚିତ ।’’ ଏହାସହ ସେ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଦେବାକୁ ଦାବି କରିଛନ୍ତି ।

ଏହା ଉପରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ମତ ରଖିଛନ୍ତି । ସିଧାସଳଖ ନ ହେଲେ ବି ପରୋକ୍ଷରେ ପାକିସ୍ତାନ ସହ ମ୍ୟାଚ୍ ରଦ୍ଦ କଥା କହିଛନ୍ତି । ତାଙ୍କ ମତରେ ‘‘ଯଦି ସମ୍ପର୍କ ଠିକ୍ ନାହିଁ ତେବେ ଏହା ଉପରେ ବିଚାର କରାଯିବାର ଆବଶ୍ୟକତା ରହିଛି । ପାକିସ୍ତାନର ଆତଙ୍କୀ ମୁଖା ଦୁନିଆ ଆଗକୁ ଆସି ସାରିଛି । ଏହାର ପରିଣତି ପାକିସ୍ତାନକୁ ଭୋଗିବାକୁ ପଡ଼ିବ ।’’

ପଞ୍ଜାବ ସରକାର ମଧ୍ୟ ମ୍ୟାଚ୍ ରଦ୍ଦ କରିବାକୁ ଦାବି ଉଠାଇଛନ୍ତି । ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ପରଗଟ ସିଂହ କହିଛନ୍ତି, ‘‘ସୀମାରେ ଅଶାନ୍ତିର ବାତାବରଣ ରହିଛି । ତେଣୁ ଏପରି ସମୟରେ ପାକିସ୍ତାନ ସହ ମ୍ୟାଚ୍ ହେବା ଉଚିତ ନୁହେଁ । ଆମର ୯ ଯବାନ ସହିଦ ହୋଇଥିବା ବେଳେ ତାଙ୍କ ସହ ମ୍ୟାଚ୍ ଖେଳିବା ଗ୍ରହଣୀୟ ନୁହେଁ ।’’

Leave a Reply