ଚିନ୍ତା ବଢ଼ାଇଲାଣି ଦିଲ୍ଲୀ ପ୍ରଦୂଷଣ

1 min read

ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ବଢିଚାଲିଛି ପ୍ରଦୂଷଣ, ଏହାଦ୍ବାରା  ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି । ପ୍ରତିବର୍ଷ ହରିୟାନା,ଦିଲ୍ଲୀରେ ନଡା ପୋଡାଯିବା ସହ ମାତ୍ରାଧିକ ଯାନବାହନ ଚଳାଚଳ ଯୋଗୁ ଦିଲ୍ଲୀରେ ଶୀତଦିନେ ପ୍ରଦୂଷଣ ମାତ୍ରା ବଢୁଛି । ବାୟୁର ମାନାଙ୍କ ବା AQI ୪୭୧ ରହିଛି, ଯାହାକି ଶ୍ବାସକ୍ରିୟାରେ ଗୁରୁତର ବ୍ୟାଘାତ ସୃଷ୍ଟି କରିପାରେ । ବିଶେଷଜ୍ଞଙ୍କ କହିବା ହେଲା, ଏୟାର କ୍ବାଲିଟି ଇଣ୍ଡେକ୍ସ ଏକ୍ୟୁଆଇ ୪୫୦ ଉପରେ ରହିଲେ ପ୍ରଦୂଷଣର ସ୍ତର ଗମ୍ଭୀର ପ୍ଲସ୍ ଶ୍ରେଣୀରେ ରହିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ହେଲା, ବାୟୁର ମାନ ବା AQI ୫୦ ତଳକୁ ରହିବା କଥା ।

କିନ୍ତୁ, ବର୍ତ୍ତମାନ ଦିଲ୍ଲୀରେ AQI ୪ଶହରୁ ଅଧିକ ରହୁଛି ଯାହାକି  ମନୁଷ୍ୟ ସ୍ବାସ୍ଥ୍ୟ ପ୍ରତି ବିପଦଜନକ । ଲଗାତର ୭ ଦିନ ଧରି ଦିଲ୍ଲୀରେ ବାୟୁର ମାନ ଗମ୍ଭୀର ଶ୍ରେଣୀରେ ରହିଛି । ଆରକେ ପୁରମରେ ଏକ୍ୟୁଆଇ ୪୬୬, ଆଇଟିଓରେ ୪୦୨, ପଟପଡଗଂଜରେ ୪୭୧, ନ୍ୟୁ ମୋତିବାଗରେ ୪୮୮ ଏକ୍ୟୁଆଇ ରହିଛି ଯାହାକି ଅତ୍ୟନ୍ତ ମଣିଷ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉ । ପ୍ରଦୂଷିତ ବାୟୁ,ଧୂଳିକଣା ମଣିଷ ଶରୀରରେ ଗୁରୁତର ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ ।ଦିଲ୍ଲୀ ଏମସ୍ ର ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଡାକ୍ତର ପିୟୁଷ ରଞ୍ଜନଙ୍କ କହିବା ହେଲା ବାୟୁ ପ୍ରଦୂଷଣ ଯୋଗୁ ହୃଦଘାତ,ଫୁସଫୁସ୍ କ୍ୟାନସର,ବ୍ରେନ୍ ଷ୍ଟ୍ରୋକ୍, ଆଥ୍ରିଟିସ୍ ଭଳି ମାରାତ୍ମକ ରୋଗ ହେବା ଆଶଙ୍କା ରହିଛି । ବାୟୁ ପ୍ରଦୂଷଣ ମନୁଷ୍ୟର ଶ୍ବାସକ୍ରିୟାରେ ଗୁରୁତର ବାଧା ସୃଷ୍ଟି କରିବା ସହ ଶ୍ବାସରୋଗ ସୃଷ୍ଟି କରିଥାଏ ।

ପ୍ରଦୂଷିତ ବାୟୁର ଧୂଳିକଣା ସହ ରାସାୟନିକ ଡ୍ରପଲେଟସ୍ ନିଶ୍ବାସ ମାଧ୍ୟମରେ ଫୁସଫୁସ୍ ରେ ପ୍ରବେଶ କରିଥାଏ । ଏହା ଅଧିକ ଦିନ ଫୁସଫୁସ୍ ରେ ଜମି ରହିବା ଫଳରେ ଫୁସଫୁସ୍ କ୍ୟାନସର୍ ଭଳି ରୋଗ ସୃଷ୍ଟି ହୋଇଥାଏ । ଶିଶୁ,ବୟସ୍କ, ଗର୍ଭବତୀ ମହିଳା ଓ ରୋଗୀଙ୍କ କ୍ଷେତ୍ରରେ ଏହା ମାରାତ୍ମକ ହୋଇଥାଏ । ନିଶ୍ବାସରେ ବିଷାକ୍ତ ଧୂଳିକଣା ଯାଇ ରକ୍ତନଳୀରେ ପ୍ରବାହିତ ହୋଇଥାଏ । ରକ୍ତନଳୀ ମାଧ୍ୟମରେ ଏହା ମସ୍ତିଷ୍କ ଓ  ଧମନୀରେ ଜମିବା କାରଣରୁ ବ୍ରେନ୍ ଷ୍ଟ୍ରୋକ୍ ଓ ହୃଦଘାତ ହେବାର ଆଶଙ୍କା ସର୍ବାଧିକ ରହିଥାଏ ।