ଏକଜିଟ୍ ପୋଲରେ ‘ଆପ’କୁ ବହୁମତ, ତଥାପି EVMକୁ ନେଇ ମନରେ ଛନକା

1 min read

ନୂଆଦିଲ୍ଲୀ: ଜାରି ରହିଛି କେଜ୍ରି କ୍ରେଜ୍ । ଦିଲ୍ଲୀବାସୀଙ୍କ ଉପରେ ପଡ଼ୁନି ‘ପଦ୍ମ’ର ପ୍ରଭାବ । ଶନିବାର ସନ୍ଧ୍ୟାରେ ମତଦାନ ସରିବା ସହ ଆସିଛି ଏକଜିଟ୍ ପୋଲ । ସବୁ ଏକଜିଟ୍ ପୋଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି(ଆପ)କୁ ବହୁମତ ମିଳିଛି । ମାନେ ଦ୍ୱିତୀୟ ଥର ଲାଗି ଦିଲ୍ଲୀରେ ଆପ୍ ସରକାର ଗଠନ କରୁଥିବା ଆକଳନ କରିଛନ୍ତି ସମସ୍ତେ । ତେବେ, ଦଳ ଇଭିଏମକୁ ନେଇ ଟେନସନରେ ଅଛି । ବିଜେପି ଇଭିଏମରେ ଗଡ଼ବଡ଼ କରି ନିର୍ବାଚନ ଫଳକୁ ଏପଟ ସେପଟ କରିପାରେ ବୋଲି ଆଶଙ୍କା କରୁଛି ଦଳ । ସେଥିପାଇଁ ଦଳର କାର୍ଯ୍ୟକର୍ତ୍ତା ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଭୋଟ୍ ଗଣନା ପର୍ଯ୍ୟନ୍ତ ଇଭିଏମ୍ ଥିବା ଷ୍ଟ୍ରଙ୍ଗ ରୁମ୍ ଉପରେ ନଜର ରଖିବେ । ମତଦାନ ପରେ କେଜ୍ରିୱାଲଙ୍କ ବାସଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ବୈଠକ ପରେ ଆପ୍ ନେତା ସଂଜୟ ସିଂହ ସ୍ୱଚ୍ଛ ନିର୍ବାଚନ ନେଇ ପ୍ରଶ୍ନ ଉଠାଇଛନ୍ତି । ଦିଲ୍ଲୀର ବାବରପୁରରେ ଭୋଟିଂ ସରିବା ପରେ ବି ଇଭିଏମ୍ ଜମା କରାଯାଇ ନଥିବା ଅଭିଯୋଗ ଆଣିଛନ୍ତି ସଂଜୟ । ସମାନ ଘଟଣା ବିଶ୍ୱାସ ନଗରରେ ମଧ୍ୟ ହୋଇଥିବା ସଂଜୟ ଅଭିଯୋଗ କରିଛନ୍ତି ।

ଇଭିଏମ ଜାଲିଆତି ରୋକିବାକୁ ଦଳ ସବୁ ବିଧାୟକ ଓ ନେତାଙ୍କୁ ଷ୍ଟ୍ରଙ୍ଗ୍ ରୁମ ବାହାରେ ନିଜ କର୍ମୀଙ୍କୁ ରହିବାକୁ କହିଛି । ଭୋଟ୍ ଗଣତି ଯାଏଁ କର୍ମୀମାନେ ଇଭିଏମ୍ ଉପରେ ତୀକ୍ଷଣ ନଜର ରଖିବେ । ଏଥିସହ ସଂଜୟ ସିଂହ ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି । ଦିଲ୍ଲୀର ଏକ ଟ୍ରାଫିକରେ ଯେଉଁ ସ୍ଥାନରେ କୌଣସି ଷ୍ଟ୍ରଙ୍ଗ ରୁମ୍ ନାହିଁ, ସେଠାରେ ବସରୁ ଇଭିଏମ୍ କଢ଼ା ଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି ।

https://nandighoshatv.com/delhi-election-2020-exit-poll/

Leave a Reply